ବାଲେଶ୍ୱର: ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ମୃତକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ା ଗାଁର ମଧୁସୂଦନ ପ୍ରଧାନ।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ମଧୁସୂଦନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ଅଣାଯାଇଥିଲା। ପ୍ରଥମେ ସେ ଆଉଟ୍ଡୋର୍ରେ ଟିକେଟ୍ କରି ଡାକ୍ତରଙ୍କୁ ଦେଖାଇଥିଲେ। ସେଠାରେ ତାଙ୍କୁ ଗୋଟେ ଇଞ୍ଜେକ୍ସନ୍ ଦେବା ପରେ ବେଡ୍କୁ ଯିବାକୁ କୁହାଯାଇଥିଲା। ବେଡ୍କୁ ଯିବା ପରେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ତା’ପରେ ଆଉ ଏକ ଇଞ୍ଜେକ୍ସନ୍ ଦିଆଯାଇଥିଲା। ଏହି ଇଞ୍ଜେକ୍ସନ୍ ଦିଆଯିବା ପରେ ମଧୁସୂଦନଙ୍କର ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମଧୁସୂଦନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଭୁଲ୍ ଇଞ୍ଜେକ୍ସନ୍ ଦିଆଯାଇଥିଲା।
ସେପଟେ ଏହି ଘଟଣାକୁ ନେଇ ମେଡିକାଲ୍ରେ ଉତ୍ତେଜନା ଦେଖା ଦେଇଥିଲା। ଚିକିତ୍ସା ଅବହେଳା ଓ ଭୁଲ୍ ଇଞ୍ଜେକ୍ସନ୍ ଯୋଗୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗରେ ଲୋକେ ମେଡିକାଲରେ ଭଙ୍ଗାରୁଜା କରିଥିଲେ।
ମଧୁସୂଦନଙ୍କ ପରିବାର ଲୋକେ ଏ ଘଟଣା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।