ଡାଇନିଂ ଟେବୁଲ ଉପରେ ପରସା ଯାଉଛି ଅବଢା

ସମ୍ବଲପୁର: ଅବଢାକୁ ଅବମାନନା ଅଭିଯୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ହୋଟେଲରେ ପରସା ଯାଉଛି। ସମ୍ବଲପୁରରେ ଓଡିଆ ଅବଢା ନାଁରେ ଏକ ରେଷ୍ଟୁରାଣ୍ଟ ଖୋଲିଛି, ଯେଉଁଠି ଲୋକଙ୍କୁ ମେନ୍ୟୁ ଭାବେ କୁଡ଼ୁଆରେ ପରସା ଯାଉଛି ଅନ୍ନ, ଡାଲି ବେସର ଇତ୍ୟାଦି। ପୁଣି ଲୋକେ ତାକୁ ଡାଇନିଂ ଟେବୁଲ ଉପରେ ବସି ଖାଉଥିବା ଦେଖିବାକୁ ମିଳିଛି। କଦଳୀ ପତ୍ରରେ ଏସବୁ ପରସାଯାଇ ଅବଢାର ଭ୍ରମ ସୃଷ୍ଟି କରାଯାଉଛି, ଯାହା ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରତି ଅବମାନନା ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। କୌଣସି ହୋଟେଲରେ ଅବଢାକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଏହା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସମ୍ପର୍କରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଏହି ଭିଜୁଆଲ ସୋସିଆଲ ମିଡିଆରେ ଘୂରି ବୁଲୁଛି।

କିଛି ଦିନ ତଳେ ଅନ୍‌ଲାଇନ୍‌ରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍‌ଲାଇନ୍‌ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ଦିଆଯାଇଥିଲା। ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ ବ୍ରାହ୍ମଣ ନିଯୋଗ ସମିତି ଅଭିଯୋଗ କରିଥିଲେ। ଅନ୍‌ଲାଇନ୍‌ରେ ଘରକୁ ଘର ବୁଲି ଅବଢ଼ା ବିକ୍ରି କରିବା ଓ ଯୋଗାଇବା ଦ୍ୱାରା ଅସମ୍ମାନ ହେଉଛି। ଅବଢ଼ାର ପବିତ୍ରତା ପ୍ରତି ଏହା କୁଠାରଘାତ କରୁଥିବା ଅଭିଯୋଗ କରି ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସେହିପରି କିଛି ଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍‌ଲାଇନ୍‌ରେ ନିର୍ମାଲ୍ୟ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।  ଏନେଇ ଶ୍ରୀମନ୍ଦିର ସେବାୟତ ଥାନାରେ ଆମାଜନ୍ ଇଣ୍ଡିଆ ବିରୋଧରେ ଏତଲା ମଧ୍ୟ ଦେଇଥିଲେ।

You might also like