କମେଣ୍ଟ ମରାକୁ ପ୍ରତିବାଦ କରିବାରୁ କଲେଜ ଛାତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ତୁମୁଳକାଣ୍ଡ। କଲେଜ ଛାତ୍ରୀଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏଭଳି ଅଭିଯୋଗ ଆସିଛି।

ବାଲୁଗାଁ ସାମନ୍ତରାପୁର ବେହେରା ସାହିରେ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଅପରାହ୍ଣ ୪ଟା ବେଳେ ଛାତ୍ରୀ ଜଣକ ଘରକୁ ଫେରୁଥିବା ବେଳେ ଗାଁର ବିନାୟକ ବେହେରା ନାମକ ଜଣେ ଯୁବକ ସମ୍ପୃକ୍ତ ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଛାତ୍ରୀ ଜଣକ ଏହାର ପ୍ରତିବାଦ କରିବା ସହ ଏସମ୍ପର୍କରେ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ।

ତେବେ ସନ୍ଧ୍ୟା ସମୟରେ ବିନାୟକ ଓ ଆଉ କିଛି ଲୋକ ଆସି ଛାତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଖାଦ୍ୟ ସାମଗ୍ରୀ ଓ ଆସବାବପତ୍ର ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ବାଲୁଗାଁ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ୍‌ ଗାଁରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଉଭୟ ପକ୍ଷରୁ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଥାଉ କି, କିଛିଦିନ ତଳେ କମେଣ୍ଟ ମରାକୁ କେନ୍ଦ୍ର କରି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡ଼ା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ।

You might also like