କରୋନା ସତର୍କତା: ଏହି ଜିଲ୍ଲାର ସବୁ ଧାର୍ମିକ ସ୍ଥଳରେ ଲାଗିଲା କର୍ଫ୍ୟୁ, ମା’ ବିରଜାଙ୍କ ଦର୍ଶନ ବନ୍ଦ

ଜଗତସିଂହପୁର: କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ମାଆ ଶାରଳାଙ୍କ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମନ୍ଦିର, ଧାର୍ମିକସ୍ଥଳ, ମାର୍କେଟ୍, ସପିଂ ମଲ୍ ଏବଂ ସମୁଦ୍ର ବେଳାଭୂମି ଆଦି ଭିଡ଼ ଜମୁଥିବା ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି।

ଫଳରେ ମାଆ ଶାରଳାଙ୍କ ପୀଠରେ ନୀତିକାନ୍ତି ଠିକ ସମୟରେ ଚାଲୁଥିବାବେଳେ ହାତଗଣତି ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଦେଖିବାକୁ ମିଳୁଛି। ସମସ୍ତ ପ୍ରକାର ମାନସିକ ପୂଜା ଏବଂ ବିବାହ ପ୍ରଭୃତି ବନ୍ଦ କରାଯାଇଛି। ଅନ୍ୟପଟେ ଏହି କଟକଣା ମାର୍ଚ୍ଚ ୩୧ ତାରିଖ ଯାଏ ଥିବାବେଳେ ଆବଶ୍ୟକ ପଡ଼ିଲେ ଅଧିକ ଦିନ ବଢ଼ାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ପ୍ରଶାସନର ଏଭଳି ପଦକ୍ଷେପକୁ ଶ୍ରଦ୍ଧାଳୁ ଓ ସେବାୟତମାନେ ସ୍ୱାଗତ କରିଛନ୍ତି।

ସେପଟେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରକୁ ସାଧାରଣ ଦର୍ଶନ ପାଇଁ ବନ୍ଦ କରାଯାଇଛି। ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ। ତେବେ ମାଙ୍କ ପୂଜାର୍ଚ୍ଚନା ପାଳିଆ ସେବାୟତମାନେ କରିବେ ବୋଲି ନିଷ୍ପତି ହୋଇଛି।

ଅନ୍ୟପଟେ ମନ୍ଦିର ଭିତରେ ଘଣ୍ଟି, ହଳଦୀ, ଚନ୍ଦନ କିମ୍ବା ସିନ୍ଦୁର ଆଦି ଲଗାଇଲାବେଳେ ପରସ୍ପରଠୁ ଦୂରତା ଅବଲମ୍ବନ କରିବା ଉପରେ ନିର୍ଦ୍ଦେଶ ଜାରି କରିଛି କଟକ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ କଟକରେ ଥିବା ସମସ୍ତ ମନ୍ଦିର ବୁଲି ପୂଜକମାନଙ୍କୁ ସଚେତନ କରାଇଛନ୍ତି। କଟକ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ସହରର କଟକ ଚଣ୍ଡୀ ମନ୍ଦିର, ଗଡ଼ଗଡ଼ିଆ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର, ଖାନ୍ ନଗର କାଳୀ ମନ୍ଦିର ଆଦିକୁ ଯାଇ ମନ୍ଦିର ପୂଜକ, ପରିଚାଳନା କମିଟି ସଦସ୍ୟଙ୍କୁ କରୋନା ସତର୍କତା ନେଇ ସଚେତନ କରିଥିଲେ।

You might also like