ଟ୍ରକ୍ ହାଇଜାକ କରୁଥିଲେ, ଧରାପଡ଼ିଗଲେ….

ଜିଏସ୍ଟି ଜାଲରେ ପଡ଼ିଲା ୨ଟି ଟ୍ରକ୍

ତେଲକୋଇ: ତେଲକୋଇରୁ ବିହାର ଯାଉଥିବା ବେଳେ ଜିଏସ୍ଟି ଜାଲରେ ପଡ଼ିଲା ୨ଟି ଟ୍ରକ୍। ଆଉ ସେଠୁ ଜଣାପଡ଼ିଲା କେମିତି ପଶ୍ଚିମବଙ୍ଗରୁ ଝାରସୁଗୁଡ଼ା ଆସୁଥିବା ତେଲ ବୋଝେଇ ଟ୍ରକ୍ ଲୁଟି, ଡ୍ରାଇଭର୍ ହେଲପରକୁ ମାଡ଼ ମାରି ଅନ୍ୟ ଦୁଇ ଟ୍ରକରେ ମାଲ୍ ଲଦି ବିହାର ପଳାଉଥିଲେ ଲୁଟେରା। ଲୁଟି ନେଉଥିଲେ ୨୫ ଟନ୍ ଖାଇବା ତେଲ। ତେବେ ଏହି ଏସବୁର ପର୍ଦ୍ଦାଫାଶ ପରେ ତେଲକୋଇ ପୋଲିସ ୩ ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଥିବା ବେଳେ ଜିଏସ୍ଟି ଠକେଇର ତଦନ୍ତ ଚାଲିଛି। ଅନ୍ୟପଟେ ଲୁଟେରାଙ୍କ ମାଡ଼ରେ ଆହତ ଡ୍ରାଇଭର ଓ ହେଲପରଙ୍କୁ ବି ଉଦ୍ଧାର କରାଯାଇଛି।

 ଆଳୁ ଖୋଳୁ ଖୋଳୁ ମହାଦେବ
ଜିଏସ୍ଟି ଠକେଇ ତଦନ୍ତରୁ ଟ୍ରକ୍ ଲୁଟର ପର୍ଦ୍ଦାଫାସ୍

ଏହି ଭିଡିଓରେ ଦେଖନ୍ତୁ ଦୁଇଟି ତେଲ ବୋଝେଇ ଟ୍ରକ୍। ଯାହାକୁ ଜିଏସ୍ଟି ଫାଙ୍କି ଅଭିଯୋଗରେ ଜବତ୍ କରୁ କରୁ ଲୁଟର ଲିଙ୍କ୍ ପାଇଥିଲେ ଜିଏସ୍ଟି ଅଧିକାରୀ। ପୁରା ଘଟଣା ଏମିତି ଯେ, ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ପଶ୍ଚିମବଙ୍ଗରୁ ଝାରସୁଗୁଡ଼ା ଆସୁଥିଲା ଏକ ଖାଇବା ତେଲ ବୋଝେଇ ଟ୍ରକ୍। ଗତ ୧୦ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥର ତେଲକୋଇ ନିକଟରେ ୫ ଜଣ ଲୁଟେରା ଡ୍ରାଇଭର ଓ ହେଲପରଙ୍କୁ ମାଡ଼ମାରି ଟ୍ରକରେ ଥିବା ୨୫ ଟନ୍ ମାଲ ସବୁକୁ ଲୁଟି ଅନ୍ୟ ଦୁଇଟି ଟ୍ରକରେ ଲଦି ବିହାର ନେବାର ଉଦ୍ୟମ କଲେ। ହେଲେ ୧୩ ତାରିଖ ରାତିରେ ସୁନ୍ଦରଗଡ଼ ଜିଲ୍ଲାର ବେଦବ୍ୟାସ ଓ କୁଆଁରମୁଣ୍ଡା ନିକଟରେ GST ଟିମର ଧରପଗଡ଼ରେ ଫସିଗଲେ ଲୁଟେରା।

ଖୋଳତାଡ଼ରୁ ଜଣାପଡ଼ିଲା ଏମାନେ ଡ୍ରାଇଭର ଓ ହେଲପରଙ୍କୁ ମାଡ଼ ମାରି ଲୁଟିନେଇଥିଲେ ଖାଇବା ତେଲ। ଜିଏସ୍ଟି ଟିମର ସୂଚନା ପାଇ ସ୍ଥାନୀୟ ପୋଲିସ୍ ଲୁଟର ଶିକାର ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଥିଲା। ତେବେ  ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କିନ୍ତୁ ଲୁଟ୍ ହୋଇଥିବା ଟ୍ରକର ଏଯାଏଁ କୌଣସି ପତ୍ତା ମିଳିନି।

ଧରାପଡ଼ିଥିବା ଦୁଇ ଟ୍ରକ୍ ଓ ଏଥିପାଇଁ ଜେନେରେଟ୍ ହୋଇଥିବା ୱେବ-ବିଲକୁ ନେଇ ଏବେ ଖୋଳତାଡ଼ ଚଳାଇଛି ରାଉରକେଲା GST ବିଭାଗ। ଚୋରି ମାଲ ନେଇଯାଉଥିବା ଦୁଇ ଟ୍ରକରୁ ଜବତ ହୋଇଥିବା ୱେବ-ବିଲ ରାଇରଙ୍ଗପୁର ଭାଲୁବସାରେ ଥିବା ନିଶାଦ ଏଣ୍ଟରପ୍ରାଇଜରେ ହୋଇଥିଲା ପ୍ରସ୍ତୁତ। ଏହି କଂପାନି ପାଖରେ କେବଳ ଲୁହା ବ୍ୟବସାୟ ପାଇଁ ଅନୁମତି ଥିବା ବେଳେ ତେଲ ପାଇଁ କେମିତି ୱେବ-ବିଲ ଜେନେରେଟ କଲା ତାକୁ ନେଇ ଉଠିଛି ପ୍ରଶ୍ନ। ଏହାଛଡ଼ା ସଂପୃକ୍ତ କଂପାନି ବର୍ଷେ ଭିତରେ କୌଣସି ଦ୍ରବ୍ୟ କିଣି ନଥିବା ବେଳେ ବିକ୍ରି କିନ୍ତୁ ୨ କୋଟିରୁ ଅଧିକ ଟଙ୍କାର ଦେଖାଇସାରିଲାଣି। ଚୋରି ମାମଲାର ତଦନ୍ତ ପରେ ଏହାର ବିସ୍ତୃତ ଭାବେ ଖୋଳତାଡ଼ କରାଯିବ ବୋଲି କହିଛନ୍ତି ଜିଏସ୍ଟି ଅଧିକାରୀ।

ବୀରମିତ୍ରପୁରରୁ ରାକେଶ ସାହୁ, ତେଲକୋଇରୁ ଚିନ୍ମୟ ସାହୁ ଓ ରାଉରକେଲାରୁ ପଓ୍ୱନ ତିଓ୍ୱାରୀଙ୍କ ରିପୋର୍ଟ

ଆହୁରି ପଢନ୍ତୁ :

ଡକ୍ୟୁମେଣ୍ଟ ଦେବା ପୂର୍ବରୁ ଥରୁଟିଏ ପରଖନ୍ତୁ। ନଚେତ୍ ଫସିଯିବେ

You might also like