ରାତି ୧୦ ବାଜିଲେ ଅନ୍ଧାର ହୋଇଯାଉଛି ତେଲକୋଇ

ପାଠ ପଢିବାରେ ନାନା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ

  • ରାତି ୧୦ ହେଲେ ତେଲକୋଇ ବ୍ଲକରେ ଅନ୍ଧାର ରାଜୁତି
  • ହାତୀଙ୍କ ଚଳପ୍ରଚଳ ଯୋଗୁଁ ହେଉଛି ବିଦ୍ୟୁତ୍‌ କାଟ
  • ପାଠ ପଢିବାରେ ନାନା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ
  • ଶୀଘ୍ର ସମସ୍ୟାର ସମାଧାନ ହେବ କହିଲା ବିଦ୍ୟୁତ୍‌ ବିଭାଗ

ତେଲକୋଇ(ଚିନ୍ମୟ ସାହୁ): ରାତି ୧୦ ହେଲେ ଅନ୍ଧାର, ଏଭଳି ସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ। ଏହି ଅଞ୍ଚଳରେ ହାତୀଙ୍କ ଚଳ ପ୍ରଚଳ ଥିବାରୁ ବିଦ୍ୟୁତ୍‌ ବିଭାଗ ଏଭଳି ପଦକ୍ଷେପ ନେଉଥିବା କହିଛି। ସେପଟେ ତେଲକୋଇ ବନାଞ୍ଚଳର ଅନେକ ସ୍ଥାନରେ ତାର ଝୁଲି ରହିଥିବା ବେଳେ ସେ ଗୁଡ଼ିକର ମରାମତି ହୋଇନି। ମରାମତି ସରିଲେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହେବ ବୋଲି କହିଛି ବିଦ୍ୟୁତ୍‌ ବିଭାଗ। ସେପଟେ ରାତିରେ କରେଣ୍ଟ ନ ରହିବାରୁ ଛାତ୍ରଛାତ୍ରୀ ବେଶ ହଇରାଣ ହେଉଥିବା ଦେଖିବାକୁ ମିଳିଛି।

ଲଣ୍ଠନ ଆଲୁଅରେ ଭବିଷ୍ୟତ ଗଢିବା ଲାଗି ଚାଲିଛି ପ୍ରୟାସ। ହେଲେ ତେଲକୋଇ ଅଞ୍ଚଳର ଆଦର୍ଶ ବିଦ୍ୟାଳୟର ଛାତ୍ର ଓମପ୍ରକାଶ ବିଶ୍ୱାଳ। ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା, ୧୦୦ ଦିନ ମଧ୍ୟରେ କୋର୍ସ ସରିନି। ତଥାପି ସମୟ ନଷ୍ଟ ନକରି କୋର୍ସ ସାରିବା ଲାଗି ଚେଷ୍ଟା ଚଲାଇଛନ୍ତି। ରାତି ୧୦ ଟା ହେଲେ ତଲକୋଇ ଅଞ୍ଚଳରେ ପାୱାରକଟ୍‌ ହେଉଛି। ପୁଣି ସକାଳ ସମୟରେ ହିଁ ବିଦ୍ୟୁତ୍‌ ଆସୁଛି। ଏହି ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଥିବାରୁ ବିଦ୍ୟୁତ୍‌ ବିଭାଗ ଲାଇନ କାଟୁଥିବା କହିଛି। ବିଦ୍ୟୁତ ବିଭ୍ରାଟ ପାଇଁ ଛାତ୍ର ଛାତ୍ରୀ ଅସୁବିଧା ଭୋଗ କରୁଛନ୍ତି। ସେପଟେ ବିଜୁଳି ସବୁ ସମୟରେ ରହିଲେ ପିଲାଙ୍କ ଲାଗି ଭଲ ବାତାବରଣ ସୃଷ୍ଟି ହେବ ବୋଲି ଶିକ୍ଷାବିତ୍ ମତ ରଖିଛନ୍ତି।

ତେଲକୋଇ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁଁ ଯେ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି ତାହା ନୁହେଁ, ସାଧାକଣ ଲୋକଙ୍କ ସହ କ୍ଷୁଦ୍ର ବ୍ୟବସାୟୀ ବି ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ପଡୋଶୀ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ହାତୀ ରହିଛି, ହେଲେ ସେଠାରେ କିନ୍ତୁ ବିଦ୍ୟୁତ୍‌ କାଟ ହେଉନଥିବା ଦେଖାଦେଇଛି। ଖରା ଦିନ ଆସିଲାଣି, ଯଦି ଏହି ସମୟରେ ସମସ୍ୟାର ସମାଧାନ ନହୁଏ ତେବେ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ସେପଟେ ବନ ବିଭାଗ ସହ କଥା ହେବା ପରେ ଯେଉଁ ସ୍ଥାନରେ ତାର ଝୁଲି ରହିଛି ତାହାକୁ ଉଠାଗଲେ ସମସ୍ୟାର ସମାଧାନ ହେବ ବୋଲି ବିଦ୍ୟୁତ୍‌ ବିଭାଗ କହିଛି।

ରାତି ହେଲେ ତେଲକୋଇ ବ୍ଲକରେ କିଟି କିଟି ଅନ୍ଧାର, ହାତୀଙ୍କ ସୁରକ୍ଷା ପାଇଁ ହେଉଛି ବିଜୁଳି କାଟ। ତେବେ ହାତୀଙ୍କ ସୁରକ୍ଷା ସହିତ ଲୋକଙ୍କ ଜୀବନ ଧାରଣ ବି ଜରୁରୀ। ଏଭଳି ସ୍ଥଳେ ବିଦ୍ୟୁତ ବିଭାଗ କେତେ ଶୀଘ୍ର କାମ ସାରୁଛି ତାକୁ ଅପେକ୍ଷା।

You might also like