ଫେଲ୍‌ ମାରିଛି ବସୁଧା ଯୋଜନା, ପାଣି ଲାଗି ହନ୍ତସନ୍ତ ହେଉଛନ୍ତି ଲୋକେ

କେବେ ମିଳିବ ପିଇବା ପାଣି?

  • ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ
  • କାମରେ ଆସିପାରୁନି ସରକାରଙ୍କ ବସୁଧା ଯୋଜନା
  • ନଳକୂଅରେ ନିଜସ୍ୱ ଉଦ୍ୟମରେ ମୋଟର ଲଗାଇ ପାଣି ନେଉଛନ୍ତି ଲୋକେ

ତେଲକୋଇ(ଚିନ୍ମୟ ସାହୁ): ସରକାର ଦୀର୍ଘ ବର୍ଷ ହେଲାଣି ଲୋକଙ୍କୁ ପିଇବା ପାଣି ଯୋଗାଇବାକୁ ଅନେକ ଯୋଜନା କରୁଛନ୍ତି। ପାନୀୟ ଜଳ ଯୋଗାଣ ଲାଗି ଛୋଟ ଠାରୁ ମେଗା ପର୍ଯ୍ୟନ୍ତ ଯୋଜନା କରି ଚାଲିଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ ଲୋକ ଏହାର ସୁଫଳ ପାଉନଥିବା ଦେଖିବାକୁ ମିଳିଛି। ପ୍ରଚଣ୍ଡ ଗ୍ରୀଷ୍ମରେ ପାଣି ଟୋପାଏ ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଫେଲ ମାରିଛି ବସୁଧା ଯୋଜନା। ସରକାରଙ୍କ ସହାୟତା ନ ମିଳିବା ପରେ ଲୋକେ ନିଜସ୍ୱ ଉଦ୍ୟମରେ ପାଣି ନେଉଥିବା ଦେଖିବାକୁ ମିଳିଛି।

ନଳକୂପ ଅଛି ହେଲେ ଉଠୁନି ପାଣି, ନଳ କୂପରେ ମୋଟର ଲଗାଇ ଉଠାଯାଉଛି ପାଣି। ଭାଗ ବାଣ୍ଟି ଗରାରେ ଜଳ ନେଇ ଚଳୁଛନ୍ତି ଲୋକେ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଗୋଳାବନ୍ଧ ଗ୍ରାମରେ। ଏହି ଗ୍ରାମରେ ଫେଲ ମାରିଛି ସରକାରଙ୍କର ବସୁଧା ଯୋଜନା। ୩ ବର୍ଷ ହେବ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ପ୍ରକଳ୍ପରେ କେଉଁଁଠି ତାଲା ଝୁଲୁଛି ତ କେଉଁଠି ଭାଙ୍ଗିଯାଇଛି ପାଇପ। ଏ ନେଇ ଗ୍ରାମର ମହିଳା ମାନେ ନିଜସ୍ୱ ଉଦ୍ୟମରେ ଟଙ୍କା ଖର୍ଚ୍ଚ କରି ନଳକୂପରେ ମଟର ବସାଇଛନ୍ତି। ଖରା ଦିନରେ ନିତି ଦିନିଆ ଜେନେରେଟର ଲଗାଇ ପାଣି ନେଉଛନ୍ତି ଲୋକେ।

ସେପଟେ ୱାର୍ଡ ମେମ୍ବର କହିଛନ୍ତି, ୩ ବର୍ଷ ହେଲାଣି କାମ ହେଉଛି କିନ୍ତୁ ପାଣି ମିଳୁନାହିଁ। ମାତ୍ର ମାସେ କିମ୍ବା ୨ ମାସ ପାଣି ପାଇଛୁ ଆଉ ତାହାପରେ ଆଉ ପାଣି ପାଇଲୁନାହିଁ। ଖାଲି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ପାଣି ମିଳୁନି ବୋଲି ୱାର୍ଡ ମେମ୍ବର ଜଣକ କହିଛନ୍ତି।

ପ୍ରତ୍ୟେକ ବର୍ଷ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ମରାମତି କାମ ଚାଲୁଥିଲେ ମଧ୍ୟ ଗ୍ରାମବାସୀଙ୍କୁ ଏହାର ସୁଫଳ ମିଳୁନି। ଆଉ କେତେଦିନ ଏହିଭଳି ଜେନେରେଟର ଲଗାଇ ଟଙ୍କା ଖର୍ଚ୍ଚକରି ପାଣି ସଂଗ୍ରହ କରିବେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଏ ନନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ଏ ସମସ୍ୟା ନେଇ ସେ ତଦନ୍ତ କରିବେ ବୋଲି କହିଛନ୍ତି।

ଆଗକୁ ବଢିବ ତାତି। ଜଳକଷ୍ଟରେ ସନ୍ତୁଳି ହେବେ ଗ୍ରାମବାସୀ। ଏହା ପୂର୍ବରୁ ବସୁଧା ଯୋଜନାରେ ଜଳ ପ୍ରକଳ୍ପ ଗୁଡ଼ିକର ମରମତି ନିତାନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

You might also like