ପୁଣି ଜୋର ଧରିଲା ଜାତୀୟ ସାମ୍ମୁଖ୍ୟ ଚର୍ଚ୍ଚା

ଗୋଟିଏ ମଞ୍ଚରେ ଏକାଠି ହେଲେ ନବୀନ ଓ କେସିଆର

ଭୁବନେଶ୍ୱର :  ନବୀନ ନିବାସରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେଲଙ୍ଗାନା ନିର୍ବାଚନ ପୂର୍ବରୁ ଅନେକ ଆଂଚଳିକ ଦଳର ନେତାଙ୍କୁ ଭେଟି ଫେଡେରାଲ୍ ଫ୍ରଣ୍ଟ ଅଭିଯାନ ଆରମ୍ଭ କରିଥିଲେ କେସିଆର୍। ଏମିତିକି ବିଧାନସଭା ନିର୍ବାଚନ ପରେ ପରେ ଆଗାମୀ ସାଧାରଣ ନିର୍ବାଚନରେ TRS ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି KCR କହିଥିଲେ।

ଖାସ୍ ସେଥିପାଇଁ କେସିଆର୍‌ଙ୍କ ଏହି ଗସ୍ତ ଓ ନବୀନଙ୍କ ସହ ସାକ୍ଷାତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଦିଆଯାଉଛି। ପ୍ରଶ୍ନ ଉଠୁଛି ଆଜିର ଭେଟ୍‌ଘାଟ ପରେ ନୂଆ ରାଜନୈତକ ସମୀକରଣ ହେବ କି? ଜାତୀୟ ରାଜନୀତିରେ କିଛି ଅଲଗା ଅଙ୍କକଷା ଚାଲିଛି କି? ଅଣବିଜେପି ଓ ଅଣକଂଗ୍ରେସ ଦଳକୁ ଏକାଠି କରି କିଛି ବଡ଼ ଚକ୍କରରେ ନାହାନ୍ତି ତ କେସିଆର୍? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଗୋଟିଏ ପଟେ ମହାଗଠବନ୍ଧନ ଅନ୍ୟପଟେ ଫେଡେରାଲ୍ ଫ୍ରଣ୍ଟ ଗଠନ ଉଦ୍ୟମକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ଏହା କେବଳ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ।

KCRଙ୍କ ଏହି ଗସ୍ତ ନେଇ ଚର୍ଚ୍ଚା ଭିତରେ ତେଲୁଗୁ ଭାଷାଭାଷୀଙ୍କ ଭୋଟ୍ ଉପରେ ବି ରହିଛି ଫୋକସ୍। ପୂର୍ବରୁ ଚନ୍ଦ୍ରବାବୁ ନାଇଡୁଙ୍କ TDP ଦକ୍ଷିଣ ଓଡିଶାରେ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ବିଜେଡିକୁ ତେଲୁଗୁ ଭୋଟ୍ ଚିନ୍ତା ଘାରିଛି। ଟିଡିପି ନିର୍ବାଚନ ଲଢିଲେ କାଳେ ତେଲୁଗୁ ଭାଷାଭାଷୀଙ୍କ ଭୋଟ୍ ବିଜେଡି ଠାରୁ ଦୂରେଇ ଯିବ ସେଇ ଆଶଙ୍କାରେ KCRଙ୍କ ସହାୟତା ନେବା ପାଇଁ ଏହି ଚାଲ୍ ନୁହେଁ ତ, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି।

ଏପଟେ କେସିଆର-ନବୀନଙ୍କ ସାକ୍ଷତ ଆଲୋଚନାକୁ କଡ଼ା ସମାଲୋଚନା କରିଛନ୍ତି ତେଲେଙ୍ଗାନା କଂଗ୍ରେସ ପ୍ରଭାରୀ ରାମଚନ୍ଦ୍ର ଖୁଣ୍ଟିଆ ଅଭିଯୋଗ କରିଛନ୍ତି କେସିଆର ବିଜେପିର ବି ଟିମ୍ ହୋଇ କାମ କରିବା ସହ ନବୀନଙ୍କ ସହ ମିଶି ମହାମେଣ୍ଟକୁ ଦୁର୍ବଳ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ବିଜେପି ଏହାକୁ ଖଣ୍ଡନ କରିବା ସହ କହିଛି ତୃତୀୟ ସାମ୍ମୁଖ୍ୟ ସଫଳ ହେବ ନାହିଁ ।

ଆସନ୍ତାକାଲି କେସିଆର୍ କୋଲକାତା ଯାଇ ମମତା ବାନାର୍ଜୀଙ୍କୁ ଭେଟିବେ। ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଏସ୍‌ପି ନେତ୍ରୀ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

 

You might also like