ରାଜରାସ୍ତାରେ ଭିକ ମାଗିଲେ ଗଣଶିକ୍ଷକ

ଭୁବନେଶ୍ୱର(ବଳରାମ ମହାନ୍ତି) : ରାଜ୍ୟରେ ୨୨ହଜାର ୫୧୨ ଗଣଶିକ୍ଷକଙ୍କ ମଧ୍ୟରୁ ୧୮ ହଜାର ୫୧୨ଜଣଙ୍କ ନିୟମିତ ହୋଇଥିବା ବେଳେ ଅବଶିଷ୍ଟ ୫ ହଜାର ଗଣଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ରାଜରାସ୍ତାରେ ଭିକ ମାଗିଲେ ଗଣଶିକ୍ଷକ।

ସେମାନଙ୍କୁ ନିୟମିତ କରିବା ଦାବି ନେଇ ଗତ ୫ ତାରିଖରୁ ବିଧାନସଭା ସମ୍ମୁଖରେ ଓଡିଶା ଗଣଶିକ୍ଷକ ମହାସଂଘ ଧାରଣା ଦେଇଛି। ୨୨ ଦିନ ଧରି ଧାରଣା ଦେବା ପରେ ଏହି ଦାବି ପୂରଣ ନେଇ ସରକାର କୌଣସି ପଦକ୍ଷେପ ନ ନେବାରୁ ମହାସଂଘ ଏଭଳି ନିଆରା ଆନ୍ଦୋଳନ କରିଛି।

୮ ବର୍ଷ ଠିକାରେ ଚାକିରି କଲା ପରେ ନିୟମିତ ହେବା ନେଇ ସରକାରଙ୍କ ନିୟମ ରହିଛି।  କିନ୍ତୁ ସେମାନେ ୧୦ ବର୍ଷ ଚାକିରି କରି ସାରିଲେଣି। ତଥାପି ସରକାର ସେମାନଙ୍କୁ ନିୟମିତ କରୁ ନାହାନ୍ତି ବୋଲି ମହାସଂଘ ଅଭିଯୋଗ କରିଛି।

ରାଜ୍ୟରେ ୨୨ହଜାର ୫୧୨ ଗଣଶିକ୍ଷକ ଥିବାବେଳେ ସେଥିରୁ ୧୮ ହଜାର ରୁ ଅଧିକ ଗଣଶିକ୍ଷକ ନିୟମିତ ହୋଇସାରିଛନ୍ତି।  କିନ୍ତୁ ଅବଶିଷ୍ଟ ଗଣଶିକ୍ଷକ ମାନଙ୍କୁ ନିୟମିତ କରିବାପାଇଁ ୨୦୧୮ ମାର୍ଚ୍ଚରେ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ନିୟମିତ କରାଯାଇନାହିଁ। ଆସନ୍ତା ୩ ଦିନ ଭିତରେ ଏହି ଦାବି ପୂରଣ ନହେଲେ ସମୂହ ଆତ୍ମାହୁତି ଦେବେ ବୋଲି ମହାସଂଘ ଚେତାବନୀ ଦେଇଛି।

You might also like