ନିଲମ୍ବନ ନାଲିଅାଖିକୁ ଶିକ୍ଷକଙ୍କ ବେଖାତିର

ଭୁବନେଶ୍ୱର: ଖରା ବର୍ଷାରେ ଅହୋରାତ୍ର ଅାନ୍ଦୋଳନକୁ ବିତିଲାଣି ୨୩ ଦିନ। ଦାବି ପୂରଣ ପାଇଁ ସରକାରଙ୍କ ଦରଦ ତ ନାହିଁ ବରଂ ନିଲମ୍ବନର ନାଲି ଅାଖି ଦେଖାଇ ଶିକ୍ଷକ ଅାନ୍ଦୋଳନକୁ ଭଣ୍ଡୁର କରିବାକୁ ଚାଲିଥିବା ଚକ୍ରାନ୍ତକୁ ନେଇ ତାତିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ସଫା ସଫା ଶୁଣାଇଛନ୍ତି ଦାବି ପୂରଣ ନହେଲେ ଧାରଣରୁ ଉଠିବୁନି। ଏଭଳି ସ୍ଥିତିରେ ଶିକ୍ଷକଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ରାଜ୍ୟ ସରକାର ଅହଂକାର ଛାଡ଼ି ଶିକ୍ଷକଙ୍କ ଦାବି ପୂରଣ କରିବାକୁ ଆହ୍ୱାନ ଦେଇଛନ୍ତି।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଟ୍ୱିଟରରେ ଲେଖିଛନ୍ତି, ଶିକ୍ଷକଙ୍କ ସମସ୍ୟା ସମାଧାନ କରିବା ବଦଳରେ ବିଜେଡି ଧମକ ଦେଉଛି। ଅାଇନ ପ୍ରଣେତାଙ୍କଠାରୁ ଅାମେ ଏମିତି ଅହମିକା ଅାଶା କରୁନୁ। ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ସରକାର କାହାରିକୁ ନାଲି ଅାଖି ଦେଖାଉ ନାହାନ୍ତି, ସମାଧାନ ପାଇଁ ଚେଷ୍ଟା ଚାଲିଛି। ଶିକ୍ଷକ ଅାନ୍ଦୋଳନ ସହ ତାଳ ଦେଇ ୨୩ ଦିନ ହେଲା ଠପ୍ ରହିଛି ରାଜ୍ୟର ପ୍ରାୟ ୪ହଜାର ବ୍ଲକ୍ ଗ୍ରାଣ୍ଟ୍‌ ସ୍କୁଲ୍‌ ସମେତ ୧୧ ଶହ ଜୁନିୟର ଓ ଡିଗ୍ରୀ କଲେଜରେ ପାଠ ପଢ଼ା।

ଏହାସହ ରାଜ୍ୟର ସମସ୍ତ ୩୧୪ ବ୍ଳକ୍‌ ଅଫିସ୍ ଅାଗରେ ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବି ଚାଲିଛି। ଶିକ୍ଷକ ଅାନ୍ଦୋଳନ ପ୍ରସଙ୍ଗକୁ ନେଇ ଅାଜି ବିଧାନସଭାରେ ବିରୋଧୀ ହୋ ହଲ୍ଲା କରିଥିଲେ। ଶିକ୍ଷକଙ୍କ ଦାବି ପାଳନରେ ସରକାରଙ୍କ ଟାଳଟୁଳ ନୀତିକୁ ନେଇ କଂଗ୍ରେସ ପକ୍ଷରୁ ଦିଅାଯାଇଥିବା ମୁଲତବି ନୋଟିସ୍‌କୁ ଅାଲୋଚନା ପାଇଁ ଗ୍ରହଣ କରିଛନ୍ତି ବାଚସ୍ପତି।

You might also like