ସେ ପୁଅକୁ ମୋ ପାଖକୁ ଆଣ ! ଜିନିଷପତ୍ର ଏକାଠି କରି ରଖିଥା କହି ଚାଲିଗଲେ . .

ବିବାହ କରିବାର କଥା ଦେଇ ନବମ ଶ୍ରେଣୀ ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ: ବରମୁଣ୍ଡା ବସଷ୍ଟାଣ୍ଡରେ ପୀଡ଼ିତାଙ୍କୁ ଛାଡି ଶିକ୍ଷକ ଫେରାର୍

ମଦନପୁର: ନବମ ଶ୍ରେଣୀ ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଂଚଳର ଜଣେ ଛାତ୍ରୀଙ୍କୁ ତାଙ୍କ ସ୍ଲୁଲର ଜଣେ ଶିକ୍ଷକ ଗତ ଦୁଇ ବର୍ଷ ହେଲା ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଆସୁଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଛାଡି ପଳାଇଥିଲେ ସମ୍ପୃକ୍ତ ଶିକ୍ଷକ ।

ଏହାପରେ ଛାତ୍ରୀ ଜଣକ ଆସି ମଦନପୁର ରାମପୁର ଥାନାରେ ଅଭିଯୋଗ କରିଥିଲେ । ଶିକ୍ଷକ ଜଣକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଂଚଳର, ସେ ମଦନପୁର ରାମପୁରରେ ଏକ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଥିଲେ । ଘଟଣା ପରଠାରୁ ଶିକ୍ଷକ ଫେରାର ଅଛନ୍ତି ।

ଅଭିଯୁକ୍ତ  ଶିକ୍ଷକ ଫେରାର ହୋଇଯିବା ପରେ ପୋଲିସ ମୋତେ ସାହାଯ୍ୟ କରୁ ବୋଲି ନାବାଳିକା ଜଣକ ହାତଯୋଡ଼ି ଗୁହାରୀ ଜଣାଇଛନ୍ତି। କାନ୍ଦି କାନ୍ଦି କହିଛନ୍ତି, ସେ  ମୋ ଜୀବନ ସେ ଖରାପ କରିଛନ୍ତି । ତାକୁ ଯେମିତି ହେଲେ ମୋ ପାଖକୁ ଆଣିଦିଅ। ମୋ ସହ କଥାବାର୍ତ୍ତା କରି ଫୁସୁଲାଇ ଶାରୀରିକ ସମ୍ପର୍କ ରଖୁଥିଲେ। ପଢ଼ା ଶେଷ ହେଲେ ବିବାହ କରିବି ବୋଲି କଥା ଦେଇଥିଲେ । ଦୁଇ ବର୍ଷ ହେଲା ଏପରି ଚାଲିଥିଲା  । ହେଲେ ଏବେ ମୋତେ ଅଧା ରାସ୍ତାରେ ଏକୁଟିଆ ଛାଡ଼ି ଚାଲିଗଲେ।

ଭୁବନେଶ୍ୱର ବସଷ୍ଟାଣ୍ଡରେ ଟିକେଟ ହାତରେ ଧରେଇ ବସରେ ପଠାଇଦେଲେ । ଦୁଇ ତିନି ଦିନ ପରେ ପାଖକୁ ଆସିବି କହି କୁଆଡ଼େ ଚାଲିଗଲେ ଯେ ଆଉ ଆସିଲେନି । ସବୁ ଜିନିଷପତ୍ର ଏକାଠି କରି ରଖିଥା କହି ଚାଲିଗଲେ । ଏବେ ମୁଁ ବହୁତ ଚିନ୍ତାରେ ଅଛି। ଘରକୁ ପର କରି ତାକୁ ବିଶ୍ୱାସ କଲି, ଏବେ କୁଆଡ଼େ ଯାଇ ରହିବ।  ତାକୁ ତୁରନ୍ତ ପାଖକୁ ଆଣ ବୋଲି ପୋଲିସକୁ ଦୁଃଖ ଜଣାଇଛନ୍ତି ପୀଡ଼ିତା।

ଆହୁରି ପଢନ୍ତୁ : ସାଇବର ଠକେଇକୁ ନେଇ ବଢୁଛି ଚିନ୍ତା : ଭୁୁବନେଶ୍ୱରରୁ ଦୁଇ ମାସରେ କୋଟିଏ ୩ ଲକ୍ଷ ଟଙ୍କା ଲୁଟ୍

You might also like