ପ୍ରବାସୀ ସମ୍ପର୍କୀୟଙ୍କ ମାଡ଼ରେ କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଗୁରୁତର
ଭଦ୍ରକ: ପ୍ରବାସୀ ଓଡ଼ିଆ ସଂପର୍କୀୟଙ୍କ ମାଡ଼ରେ କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଗୁରୁତର। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜିଙ୍କିରିଆ ପଞ୍ଚାୟତର ତୋଟାପଡ଼ା କ୍ୱାରେଣ୍ଟିନ୍ ସେଣ୍ଟର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସେଣ୍ଟରରେ ଥିବା ପ୍ରବାସୀଙ୍କ ଏକ ବାଇକକୁ ତାଙ୍କ ସମ୍ପର୍କୀୟକୁ ନଦେବାରୁ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
୨ ଦିନ ତଳେ ବାହାର ରାଜ୍ୟରୁ ଜଣେ ପ୍ରବାସୀ ବସ୍ ଯୋଗେ ଗାଁକୁ ଫେରିଥିଲେ। ନିଜ ବାଇକରେ ଆସି ତାଙ୍କ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ପରେ ତାଙ୍କର ସମ୍ପର୍କୀୟ ଲୋକ ସେ ବାଇକ ଆଣିବାକୁ ସେହି କେନ୍ଦ୍ରକୁ ଯାଇଥିଲେ। ହେଲେ ସେ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ା ବାଇକ ସାନିଟାଇଜ୍ ହୋଇନଥିବାରୁ ପରେ ଆସି ନେଇଯିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏବଂ ସରପଞ୍ଚଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା
ତେବେ ଆଜି ସମ୍ପୃକ୍ତ ଶିକ୍ଷକ ମାର୍କେଟିଂ ପାଇଁ ଯାଇଥିବା ବେଳେ ସେହି ଯୁବକ ଜଣଙ୍କ ପୁଣି ଥରେ ରାସ୍ତାରେ ଶିକ୍ଷକଙ୍କ ଗାଡ଼ି ଅଟକାଇ ଆକ୍ରମଣ କରିଥିଲେ। ଜିଙ୍କିରିଆ ପଞ୍ଚାୟତର ସରପଞ୍ଚ ମଧୁସୂଦନ ମାଝି ନିଜ ଗାଡ଼ିରେ ଶିକ୍ଷକଙ୍କୁ ଆଣି ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।