ଶିକ୍ଷକଙ୍କୁ କାନ୍ଧରେ ଧରି ନାଚିଲେ ଗ୍ରାମବାସୀ

ନାରାୟଣାପାଟଣା: ଶିକ୍ଷକଙ୍କୁ କାନ୍ଧରେ ଧରି ନାଚଗୀତରେ ମସ୍‌ଗୁଲ। ଗ୍ରାମବାସୀ ପାରଂପରିକ ବାଦ୍ୟ ତାଳେତାଳେ ଚାଲିଛି ନାଚଗୀତ। ପିଲାଠୁ ବୁଢ଼ା ସଭିଏଁ ଗୋଟିଏ ତାଳରେ ନାଚୁଛନ୍ତ॥ ଏ ଦୃଶ୍ୟ ଆନ୍ଧ୍ରପ୍ରଦେଶ ବିଜୟ ନଗରମ୍ ଜିଲ୍ଲା ଗୁମ୍ମା ଲକ୍ଷ୍ମୀପୁରମ୍ ବ୍ଲକ୍ ମାଲୁଗୁଡ଼ା ଗାଁର। ମଣ୍ଡଳ ପରିଷଦ ବିଦ୍ୟାଳୟର ଶିକ୍ଷକ ଗୌଡ଼ୁ ନରେନ୍ଦ୍ରଙ୍କୁ କାନ୍ଧରେ ଉଠାଇ ଗାଁ ପରିକ୍ରମା କରୁଛନ୍ତି। ଲୋକେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।

ଗ୍ରାମବାସୀମାନେ ଶିକ୍ଷକଙ୍କୁ ଛାଡ଼ିବାକୁ ଅମଙ୍ଗ ଥିଲେ ବି ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ସ୍ଥାନରେ ୧୦ ବର୍ଷ ଧରି ରହିବା ପରେ ଶିକ୍ଷକଙ୍କୁ ବଦଳି କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳ ହୋଇଥିଲେ ବି ଶିକ୍ଷକ ଗୌଡ଼ୁ ନରେନ୍ଦ୍ର ୧୦ ବର୍ଷ ଧରି ନିଷ୍ଠାର ସହ ପିଲାଙ୍କୁ ପଢ଼ାଇ ଆସୁଥିଲେ।

ଯେତେବେଳେ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ଆସିଥିଲା, ସେତେବେଳେ ଏହାକୁ ବାତିଲ କରିବା ପାଇଁ ଲୋକେ ଚେଷ୍ଟା ବି କରିଥିଲେ ମାତ୍ର ବିଫଳ ହୋଇଥିଲେ। ତେବେ ଶିକ୍ଷକଙ୍କୁ ବିଦାୟୀ ସମ୍ବର୍ଦ୍ଧନାକୁ ସ୍ମରଣୀୟ କରିବା ପାଇଁ ତାଙ୍କୁ ଗ୍ରାମବାସୀମାନେ କାନ୍ଥରେ ବସାଇ ଗାଁ ପରିକ୍ରମା କରାଇଥିଲେ। ଏହି ସମୟରେ ଉଭୟ ଗ୍ରାମବାସୀ ଓ ଶିକ୍ଷକ ଭାବବିହ୍ୱଳ ହୋଇପଡ଼ିଥିଲେ।

You might also like