ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ତଥାଗତ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଶାସକ ବିଜେଡିକୁ ନିଜ ଦଳ ଭିତରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପୂର୍ବତନ ବିଜେଡି ସାଂସଦ ତଥାଗତ ସତପଥୀ ସୋଶାଲ୍‌ ମିିଡିଆରେ ଏହାକୁ କଡ଼ା ସମାଲୋଚନା କରିଛନ୍ତି।

ଏହି ଉଚ୍ଛେଦ ବେଆଇନ୍‌ ହୋଇ ନ ପାରେ, କିନ୍ତୁ ଏହା ନିଶ୍ଚିତ ରୂପେ ଅଶିଷ୍ଟତା ଓ ବେପରୁଆ ବୋଲି ଟ୍ୱିଟ୍‌ କରି ତଥାଗତ କ୍ଷୋଭ ପ୍ରକାଶ କରିଛନ୍ତି।

ସେ ଏମାର ମଠ, ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ପାର୍ଶ୍ୱର ଊନବିଂଶ ଶତାବ୍ଦୀର ପୁରାତନ ଫଟୋକୁ ଶେଆର୍ କରିବା ସହ ଲେଖିଛନ୍ତି, ‘ଶହଶହ ବର୍ଷ ପୁରୁଣା ମଠ ଓ କୋଠା ଗୁଡ଼ିକୁ ସଂରକ୍ଷଣ କରିବା ପରିବର୍ତ୍ତେ ଏବେ ନିଶ୍ଚିହ୍ନ କରି ଦିଆଯାଉଛି। ଏସବୁ ଧ୍ୱଂସ କରିଦେବା ସହଜ, ମାତ୍ର ତିଆରି କରିବା ଭାରି କଷ୍ଟକର।’

‘ଅତୀତକୁ ପ୍ରଶଂସା କରିବା ଅପେକ୍ଷା ଆମେ ପୂର୍ବଜଙ୍କୁ ଦୋଷ ଦେଉଛୁ। ଆମେ ଏକ ବିକୃତ ଇତିହାସ ସୃଷ୍ଟି କରୁଥିବା ମୁଁ ଅନୁଭବ କରୁଛି’ ବୋଲି ତଥାଗତ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

 

ସେ ଆହୁରି ଲେଖିଛନ୍ତି , ‘ଐତିହ୍ୟର ସଂରକ୍ଷଣ ଆଗାମୀ ପିଢ଼ି ପାଇଁ ସଂସ୍କୃତିକୁ ଉଜ୍ଜୀବୀତ ରଖିବାରେ ସହାୟକ ହୁଏ। ମୁଁ ବାରଣସୀ ଭଳି ଉଚ୍ଛେଦ ଠାରୁ ରୋମ୍ ଭଳି ସଂରକ୍ଷଣକୁ ପସନ୍ଦ କରେ।’ .

ଅନ୍ୟପକ୍ଷରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି। ସେ କହିଛନ୍ତି, ସଂସ୍କୃତିର କିଏ କେଉଁ ପ୍ରକାର ବ୍ୟାଖ୍ୟାନ କରନ୍ତି ମୁଁ ଜାଣିନାହିଁ।

You might also like