ଜଙ୍ଗଲ ନିଆଁ କମୁନି ବରଂ ବଢୁଛି !
ଭୁବନେଶ୍ୱର: ଜଙ୍ଗଲ ନିଆଁ କମୁନି ବରଂ ବଢୁଛି। ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି ଜଙ୍ଗଲ ନିଆଁ ଟାସ୍କଫୋର୍ସ। ଟାସ୍କଫୋର୍ସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ୍ ଅନୁସାରେ ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ିଥିବା ସୂଚନା ଦେଇଛନ୍ତି। ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁସାରେ ନିଆଁ ବଢ଼ିଛି, କାଲି ୪୯୭ ପଏଣ୍ଟରେ ନିଆଁ ଥିଲା, ଆଜି ବଢ଼ି ୧୦୪୮ରେ ପହଞ୍ଚିଛି। ତେବେ ଶିମିଳିପାଳ ଅଞ୍ଚଳରେ ନିଆଁ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ୨୬ଟି ପଏଣ୍ଟରେ ନିଆଁ ଥିବା ବେଳେ ଏବେ ୫ଟିରେ ନିଆଁ ରହିଛି।
ଶିମିଳିପାଳରେ ବନାଗ୍ନି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ସଦସ୍ୟ ଓଡ଼ିଶାରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା NTCA ଆଇଜି ଅମିତ ମଲ୍ଲିକ, ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଶିମିଳିପାଳ ଗସ୍ତ କରିବେ। ଏଥିସହ ନିଆଁ ଲାଗିବାର କାରଣ ଓ ନିରାକରଣ ଅନୁଧ୍ୟାନ କରିବେ।
ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଗତକାଲି ଅପରାହ୍ଣରେ କୁଆପଥର ସହ ଝିପିଝିପି ବର୍ଷା ହୋଇଥିଲା। ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିଲା। ସେଠାରେ ହୋଇଥିବା ବର୍ଷା ପାହାଡରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା।
ବର୍ଷା ହେବା ପରେ ସେଠାରେ ନିଆଁ ଲିଭାଇବା ପାଇଁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ବନ କର୍ମଚାରୀ କେତେ ଖୁସି, ତାର ଝଲକ ଦେଖିବାକୁ ମିଳିଥିଲା।ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଶିମିଳିପାଳ ଅଭୟାରଣ୍ୟର କିଛି ଅଞ୍ଚଳରେ ବର୍ଷା ହେବା ପରେ କିଭଳି ଭାବରେ ଖୁସିରେ ଆତ୍ମ ବିଭୋର ହୋଇଯାଇଥିଲେ ମହିଳା ଫରେଷ୍ଟର ସ୍ନେହା ଧଳ।