ସଂଗ୍ରହ କରୁଛନ୍ତି ସତ କିନ୍ତୁ ବଜାରରେ ବିକ୍ରି ହେଉନାହିଁ ତେନ୍ତୁଳି

ଗଜପତି ଜିଲ୍ଲାରେ ତେନ୍ତୁଳିର ଅଭାବି ବିକ୍ରି

  • ଗଜପତି ଜିଲ୍ଲାରେ ତେନ୍ତୁଳିର ଅଭାବି ବିକ୍ରି
  • ମୋହନା ଓ ଆର୍.ଉଦୟଗିରିରେ ତେନ୍ତୁଳି ହେଉନି ବିକ୍ରି
  • କିଲୋ ପିଛା ୧୫ ଟଙ୍କାରେ ବିକୁଛନ୍ତି ଆଦିବାସୀ
  • ଆଦିବାସୀ ଉନ୍ନୟନ ସଂସ୍ଥା କିଣୁ ନଥିବା ଅଭିଯୋଗ

ଗଜପତି(ମିହିର ଜତି): ଆଦିବାସୀ ବହୁଳ ଅଂଚଳର ଜନଜାତିମାନଙ୍କ ଜୀବକା କହିଲେ ଜଙ୍ଗଲଜାତି ଦ୍ରବ୍ୟ। ଜଙ୍ଗଲରୁ ପତ୍ର, ତେନ୍ତୁଳି ଆଦି ସଂଗ୍ରହ କରି ବଜାରରେ ବିକ୍ରି କରି ନିଜ ପରିବାର ପୋଷଣ କରିଥାନ୍ତି ଏମାନେ। ଖରାଦିନରେ ତେନ୍ତୁଳି ପାଚି ଗଛରୁ ପଡ଼ିଲେ ତାହାକୁ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। ହେଲେ ଉପଯୁକ୍ତ ଦର ନମିଳିବାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ତେନ୍ତୁଳିକୁ କମ ଦରରେ ବିକ୍ରି କରି ଅଭାବି ବିକ୍ରୀର ସମ୍ମୁଖୀନ ହେଉଛନ୍ତି ଆଦିବାସୀ। ଗଜପତି ଜିଲ୍ଳା ମୋହନା ଓ ଆର.ଉଦୟଗିରି ବ୍ଳକରେ ଦେଖାଯାଇଛି ଏମିତି ସମସ୍ୟା।

ଜଙ୍ଗଲ ଓ ରାସ୍ତା ପାଖ ତେନ୍ତୁଳି ଗଛରୁ ପାଚି ପଡିଲେ ଏହାକୁ ଗୋଟାଇ ଆଣି ଘରେ ସାଇତି ରଖନ୍ତି ଆଦିବାସୀ। ଗଜପତି ଜିଲ୍ଲା ଆର .ଉଦୟଗିରି ବ୍ଲକର ପଣଷଡିହ ଗାଁ ଦାଣ୍ଡରେ ପଡିଛି ଶହ ଶହ କ୍ୱିଣ୍ଟାଲ ତେନ୍ତୁଳି। ନିକଟସ୍ତ ଜଙ୍ଗଲ ଓ ରାସ୍ତା କଡ଼ରୁ ତେନ୍ତୁଳି ସଂଗ୍ରହ କରି ଆଦିବାସୀ ଆଣିଥାନ୍ତି ଆଉ ତାହାକୁ ଶୁଖାଇବା ପରେ ବାଡିରେ ପିଟି ତେନ୍ତୁଳିରୁ ଚୋପା ଛଡ଼ାଇଥାନ୍ତି। ହେଲେ ଉପଯୁକ୍ତ ବଜାର ଅଭାବରୁ ତେନ୍ତୁଳି କିଲୋ ପିଚ୍ଛା ୧୫ରୁ ୨୦ ଟଙ୍କାରେ ବିକ୍ରି କରିଥାନ୍ତି। ଆନ୍ଧ୍ରରୁ ବ୍ୟବସାୟୀ ମାନେ ଏହାକୁ କମ ଦରରେ କିଣୁଥିବା ବେଳେ ସରକାର ଏହାକୁ କିଣିବା ଲାଗି କିଛି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।

ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ଦୁର୍ଗମ ଗାଁ ଗୁଡିକରୁ ତେନ୍ତୁଳି କିଣିବା ପାଇଁ ଏକ ଶାଖା କାର୍ଯ୍ୟାଳୟ ରହିଛି। ହେଲେ ଦୀର୍ଘ ୧୦ ବର୍ଷ ହେବ ସମବାୟ ସମିତି ଆଦାବାସୀଙ୍କ ଠାରୁ ତେନ୍ତୁଳି କିଣିବା ବନ୍ଦ କରିଦେଇଛି। ସରକାରୀ ଦର ଏବେ କିଲୋ ପିଚ୍ଛା ୩୬ ଟଙ୍କା ଥିବା ବେଳେ ବ୍ୟବସାୟୀ ଏହାକୁ ୧୫ରୁ ୨୦ ଟଙ୍କାରେ କିଣୁଥିବା ଦେଖିବାକୁ ମିଳିଛି। ସେପଟେ ଏ ନେଇ ଆଦିବାସୀ ଉନ୍ନୟନ ସମବାୟ ନିଗମ ପଚାରିବାରୁ ତେନ୍ତୁଳି କିଣିବା ଲାଗି ସରକାରଙ୍କ ଠାରୁ ଚିଠି ଆସିଛି। ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଜଙ୍ଗଲ ଲଘୁ ଯାତ ଦ୍ରବ୍ୟ ସହ ଜଙ୍ଗଲଜାତ ଜିନିଷ କିମିବା ଲାଗି ଆଦିବାସୀ ଉନ୍ନୟନ ସଂସ୍ଥା ଅନେକ ପଦକ୍ଷେପ ନେଉଛି ସତ, ହେଲେ ଗଜପତି ଜିଲ୍ଲାରେ ବହୁ ଦିନ ଧରି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାହାକୁ ନେଇ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି।

You might also like