୭ ଲୋକସଭା ଆସନରେ କିଏ ହେବେ ବିଜେଡିର ମହିଳା ପ୍ରାର୍ଥୀ ? ଲବି ପାଇଁ ନବୀନ ନିବାସରେ ଭିଡ଼

ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନବୀନଙ୍କ ଘୋଷଣା ପରେ ଆଜି ନବୀନ ନିବାସରେ ଲାଗିଛି ମହିଳା ସାଂସଦ ଓ ଆଶାୟୀଙ୍କ ଭିଡ଼।

ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ରୀତା ତରାଇ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ବିଧାୟିକା ରାଜଶ୍ରୀ ମଲ୍ଲିକ ପ୍ରମୁଖ ପହଞ୍ଚିଥିଲେ ନବୀନ ନିବାସରେ। ସେପଟେ କେଉଁ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯିବା ନେଇ ଦଳରେ ଚାଲିଛି ଜୋରଦାର୍ କସରତ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼, ଯାଜପୁର, ବାଲେଶ୍ୱର, ଜଗତସିଂହପୁର, ନବରଙ୍ଗପୁର, ବ୍ରହ୍ମପୁର ଓ କନ୍ଧମାଳ ଆସନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ରହିଛି। ଗଣିତ ଏପଟ ସେପଟ ହେଲେ, କୋରାପୁଟ ଓ କେନ୍ଦୁଝର ଆସନକୁ ବି ବିଚାରକୁ ନିଆଯାଇପାରେ।

କୁହାଯାଉଛି ସୁନ୍ଦରଗଡ଼ ପାଇଁ ସୁନୀତା ବିଶ୍ୱାଳ, ଯାଜପୁରରେ ପ୍ରମିଳା ମଲ୍ଲିକ କିମ୍ବା ରୀତା ତରାଇ, ଜଗତସିଂହପୁରରେ ରାଜଶ୍ରୀ ମଲ୍ଲିକ, ବ୍ରହ୍ମପୁରରେ କଲ୍ୟାଣୀ ଗଜପତି ଏବଂ କନ୍ଧମାଳ ପାଇଁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ପ୍ରମୁଖ ଦାବିଦାର ଅଛନ୍ତି।

ସେପଟେ ନବୀନ ମହିଳା ଗୋଟି ଚଳାଇ ସାରିଥିବାରୁ ବିଜେପି ଓ କଂଗ୍ରେସର ଆଭିମୁଖ୍ୟ କଣ ହେବ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ବିଜେଡିର ନିଷ୍ପତ୍ତିକୁ ସମାଲୋଚାନ କରି ବିଜେପି କହିଛି ବିଜେଡି ସରକାରରେ ମହିଳାମାନେ ନିର୍ଯାତନାର ଶିକାର ହେଉଛନ୍ତି। ସେହି ଭୟରେ ଏହା କେବଳ ଏକ ଲଲିପପ୍। କଂଗ୍ରେସ ବି ମହିଳାଙ୍କୁ ଗୁରୁତ୍ୱ ସହ ଜିତିବା ସମ୍ଭାବନା ଦେଖି ପ୍ରାର୍ଥୀ ଦେବ ବୋଲି କହିଛି।

ରାଜ୍ୟରେ ପ୍ରାୟ ୫୦ ପ୍ରତିଶତ ମହିଳା ଭୋଟର୍ ଥିବାରୁ ମହିଳାମାନେ ଏଥର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ। ତେଣୁ ମହିଳା ଭୋଟ୍ ବ୍ୟାଙ୍କ୍ ଉପରେ ସବୁ ଦଳର ନଜର ରହିଛି। ବିଜେଡି ପୂର୍ବରୁ ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଥିବା ବେଳେ ବିଜେପି ଉଜ୍ଜ୍ୱଳା ଯୋଜନା ଏବଂ କଂଗ୍ରେସ୍ କ୍ଷମତାକୁ ଆସିଲେ ମ୍ୟାରେଜ୍ କିଟ୍ ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇ ମହିଳା ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି।

You might also like