ଗୁଣ୍ଡିଚା ମନ୍ଦିରରେ ଲାଗିଲା ତାଳଧ୍ୱଜ ଓ ଦେବଦଳନ ରଥ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଲାଗିଲା ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥ। ଗୁଣ୍ଡିଚା ମନ୍ଦିରଠୁ ଅଳ୍ପ ଦୂରରେ ଅଟକିଛି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ଶ୍ରୀକ୍ଷେତ୍ର ପାଲଟିଛି ଜନସମୁଦ୍ର। ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଆଜି ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ହୋଇଥିଲା। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବାର ଥିଲେ ମଧ୍ୟ ଏହାର ଦେଢ ଘଣ୍ଟା ପୂର୍ବରୁ ଅପରାହ୍ନ ୨ଟା ୩୫ ମିନିଟରେ ଆରମ୍ଭ ହୋଇଥିଲା।

ରଥଟଣା ଭୋରରୁ ମଇଲମ, ତଡ଼ପ ଲାଗି, ଅବକାଶ ଭଳି ନୀତି ପରେ ଗୋଟି ପହଣ୍ଡିରେ ଆସି ତିନି ରଥରେ ବିଜେ କରିଥିଲେ ଚତୁର୍ଦ୍ଧାମୂରତି।  ପ୍ରଥମେ ପ୍ରଭୁ ସୁଦର୍ଶନ ଧାଡ଼ି ପହଣ୍ଡିରେ ଆସି ରଥାରୁଢ ହୋଇଥିଲେ। ପରେପରେ ମହାପ୍ରଭୁ ବଳଭଦ୍ର, ଜଗନ୍ନାଥ ଏବଂ ମାଆ ସୁଭଦ୍ରା ଧାଡି ପହଣ୍ଡିରେ ରଥାରୁଢ ହୋଇଥିଲେ।

ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟାରେ ଫାଟି ପଡିଥିଲା ପରିବେଶ। ଏହାପରେ ଛେରାପହଁରା ହୋଇଥିଲା। ପହଣ୍ଡି ସରିବା ପରେ ଶିଷ୍ୟ ମାନଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଆସିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ଏହାପରେ ଗଜପତି ମହାରାଜା ତିନି ରଥରେ ଛେରା ପହଁରା ସାଙ୍ଗକୁ କରିଥିଲେ ବନ୍ଦାପନା ନୀତି। ତା ପରେ ଚାରମାଳ ଫିଟା ଯାଇ ରଥରେ ଅଶ୍ୱ ଯୋଚା ଯାଇ ରଥଟଣା ଆରମ୍ଭ ହୋଇଥିଲା।

 

You might also like