ଆଉ ଜଣେ ତହସିଲଦାରଙ୍କୁ ଆକ୍ରମଣ : ସରକାରୀ ଗାଡି ଉପରକୁ ପଥର ମାଡ଼ କଲେ ଦୁର୍ବୃତ୍ତ

କୋଭିଡ୍ ନିୟମ ଉଲଂଘନ ବେଳେ ଚଢ଼ାଉ

ବାସୁଦେବପୁର : କୋଭିଡ୍ ନିୟମର ଉଲଂଘନବେଳେ ଚଢ଼ାଉ କରିବାକୁ ଯାଇ ଆଉ ଜଣେ ତହସିଲଦାର ଦୁର୍ବୃତ୍ତଙ୍କ ଟାର୍ଗେଟରେ । ଏଥର ଆକ୍ରମଣର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାର । ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଗତକାଲି ସନ୍ଧ୍ୟାରେ କୁମାରପୁର ପଞ୍ଚାୟତ ବଜାରକୁ ଏନଫୋର୍ସମେଣ୍ଟ ପାଇଁ ଯାଇଥିଲେ । ଲୁଗା ଦୋକାନ ଖୋଲାଥିବା ଖବର ପାଇ ପୋଲିସ ସହ ଚଢ଼ାଉ କରିଥିଲେ । ତାସହ ଲୁଗା ଦୋକାନକୁ ସିଲ କରୁଥିଲେ ।

ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ସରକାରୀ ଗାଡି ଉପରକୁ ପଥର ମାଡ଼ କରିଥିଲେ । ଫଳରେ ତହସିଲଦାରଙ୍କ ସରକାରୀ ଗାଡିର ପଛପଟ କାଚ ଭାଙ୍ଗିରୁଜି ଯାଇଛି । ଏନେଇ ତହସିଲଦାର ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସୂଚନଯୋଗ୍ୟ କିଛି ଦିନ ପୂର୍ବରୁ ସମାନ ଘଟଣା ଦେଖିବାକୁ ମିଳିଥିଲା । ବିବାହ ଭୋଜି ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ତହସିଲଦାର । ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗାଁ ଖ୍ରୀଷ୍ଟିୟାନ ସାହିରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। କୋଭିଡ୍ ନିୟମ ଉଲ୍ଲଂଘନ କରି ଏକାଧିକ ଲୋକ ବିବାହ ଭୋଜିରେ ସାମିଲ ହୋଇଥିଲେ। ଖବର ପାଇ ଆର୍. ଉଦୟଗିରି ତହସିଲଦାର ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତହସିଲଦାର ଆୟୋଜକଙ୍କୁ ତାଗିଦ୍ କରିବାରୁ ଗାଁର ଶତାଧିକ ଲୋକେ ଉତ୍କ୍ଷିପ୍ତ ହୋଇ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ତେବେ ଘଟଣାସ୍ଥଳରୁ ତହସିଲଦାର କୌଶଳ କ୍ରମେ ଖସି ପଳାଇଥିଲେ। ମୁଣ୍ଡରେ ଆଘାତ ଲାଗି ଥିବାରୁ ସେ ଆର୍ ଉଦୟଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ।

You might also like