ନୟାଗଡ଼: ଗତ ଶୁକ୍ରବାର ଠାରୁ ନିଖୋଜ ଥିବା ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀର ଶବ ଆଜି ଉଦ୍ଧାର କରାଯାଇଛି। ଗାଁ ନିକଟ ଏକ ପୋଖରୀରୁ କୁନି ଝିଅ ସ୍ୱାତୀର ଶବ ମିଳିବା ପରେ ବାପା-ମା’ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଝିଅକୁ ହରାଇ ଭାଙ୍ଗି ପଡ଼ାଇଥିବା ସ୍ୱାତୀର ବାପା ସଂଜୟଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସୂଚନାଥାଉ କି, ଗତ ଶୁକ୍ରବାର ଦିପହରୁ ଗାଁ ଦାଣ୍ଡରୁ ନିଖୋଜ ହୋଇ ଯାଇଥିଲା ସ୍ୱାତୀ। ସାହି ପଡ଼ିଶା, କୂଅ ପୋଖରୀ ସବୁ ଘାଣ୍ଟି ସାରିଥିଲେ ପରିବାର ଲୋକେ । ହେଲେ ହେଲେ କୋଉଠି ବି ତିନି ବର୍ଷର କଅଁଳ କଢ଼ିର ଚିହ୍ନବର୍ଣ୍ଣ ମିଳିନଥିଲା। ଝିଅକୁ ନପାଇବାରୁ ବାପା ଓ ମା’ଙ୍କ ସନ୍ଦେହ ଫେରିବାଲା ଉପରେ ହୋଇଥିଲା।
ରଣପୁର ପୋଲିସ୍ ଦୁଇଟି ଟିମ୍ ଗଠନ କରି ସ୍ୱାତୀକୁ ଖୋଜୁଥିଲା। ଦମକଳବାହିନୀ ବି ଗାଁରେ ଥିବା ସବୁ କୂଅ ପୋଖରୀ, ଖୋଜି ସାରିଥିଲା। ଖୋଦ୍ ଜିଲ୍ଲା ଏସ୍ପି ବି ଯାଇ ଘଟଣାସ୍ଥଳ ବୁଲି ଦେଖିଥିଲେ ତଥାପି କୁନିଝିଅର ପତ୍ତା ମିଳୁନଥିଲା। ହେଲେ ଆଜି ହଠାତ୍ ଗାଁ ନିକଟ ପୋଖରୀରୁ ସ୍ୱାତୀର ଶବ ଉଦ୍ଧାର କରାଯାଇଥିଲା।
ଏହାକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିବା ସହ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ଗାଁ ବାହରକୁ ଯାଇନି, ଗାଁରେ ହିଁ ହତ୍ୟା କରାଯାଇଥିବା କହିଥିଲେ ସ୍ୱାତୀର ବାପା ସଞ୍ଜୟ। ଏକଥା କହିବା ପରେ ତାଙ୍କୁ ମାଡ ମରାଯାଇଥିବା ଅଭିଯୋଗ କରିଛନ୍ତି ସଞ୍ଜୟ।