ପୁଣି ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ମିଳିଲା ହତ୍ୟା ଧମକ

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜଳେଶପଟା କନ୍ୟାଶ୍ରମର ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି। କେହି ଜଣେ ଦୁର୍ବୃତ୍ତ ଫୋନ୍‌ କରି ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ଏହାସହ କନ୍ୟାଶ୍ରମ ଉଡ଼ାଇଦେବା ଲାଗି ମଧ୍ୟ ଦୁର୍ବୃତ୍ତ ଜଣକ ଧମକ ଦେଇଛନ୍ତି। ଆଜି ସକାଳ ୯ଟାରେ ଏହି ଧମକପୂର୍ଣ୍ଣ ଫୋନ୍‌କଲ୍‌ ଆସିଥିଲା। ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକର ଏହା ହେଉଛି ଦ୍ୱିତୀୟ ଘଟଣା।

ଗତକାଲି ମଧ୍ୟ କେହି ଜଣେ ଅଜଣା ଦୁର୍ବୃତ୍ତ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। ଏହାପରେ ସେ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ କେହି ଜଣେ ଦୁର୍ବୃତ୍ତ ସ୍ୱାମୀଜୀଙ୍କ ଫୋନ୍‌କୁ କଲ୍‌ କରି କନ୍ୟାଶ୍ରମକୁ ଉଡ଼ାଇଦେବା ସହିତ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଏହି ସମୟରେ ସ୍ୱାମୀଜୀଙ୍କୁ ତାଙ୍କୁ ତାଙ୍କର ପରିଚୟ ପଚାରିବାରୁ ସେ ନକ୍ସଲ ସଂଗଠନରୁ କହୁଛି ବୋଲି କହିଥିଲେ। ପରେ ଏନେଇ ସ୍ୱାମୀଜୀ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୋଲିସ କନ୍ୟାଶ୍ରମରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ୱାମୀଜୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ଆଶ୍ରମରେ ଏକ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଛନ୍ତି। ଆଶ୍ରମରେ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି। ଏହା କିନ୍ତୁ ପର୍ଯ୍ୟାପ୍ତ ନୁହେଁ ବୋଲି ସ୍ୱାମୀଜୀ କହିଛନ୍ତି। ତାଙ୍କ ଜୀବନ ଓ ଆଶ୍ରମ ପ୍ରତି ବିପଦ ଥିବା ସେ କହିଛନ୍ତି। 

ଅନ୍ୟପକ୍ଷେ, ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ଫୋନ୍‌ରେ ହତ୍ୟା ଧମକ ଘଟଣା ପରେ ବିଜେପିର ଏକ ଟିମ୍ ଆଜି ଜଳେଶପଟା ଯାଉଛି। ରାଜ୍ୟ ବିଜେପିର ଏକ ୭ ଜଣିଆ ଟିମ୍ ଜଳେଶପଟା ଯାଉଛି। ଏହି ଟିମ୍‌ରେ ବିଧାୟକ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ ଅଛନ୍ତି। ଦୁଇ ବିଧାୟକଙ୍କ ବ୍ୟତୀତ ଟିମ୍‌ରେ ବିଜେପି ନେତ୍ରୀ ସୁରମା ପାଢୀ, ବିରଞ୍ଚି ତ୍ରିପାଠୀ, ସତ୍ୟବ୍ରତ ପଣ୍ଡା, ଶିଶିର ମିଶ୍ର, କରେନ୍ଦ୍ର ମାଝୀ ରହିଛନ୍ତି।

୨୦୦୮ ମସିହାରେ ଆଶ୍ରମ ପରିସରରେ ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ଜଣ ଅନୁଗତଙ୍କୁ ଆଶ୍ରମ ପରିସରରେ ହତ୍ୟା କରାଯାଇଥିଲା। ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ପରେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ଆଶ୍ରମର ଉତ୍ତରାଧିକାରୀ ଭାବେ ପରିଚାଳନା ଦାୟିତ୍ୱରେ ଅଛନ୍ତି।

You might also like