କରୋନା ବେଳେ ରାଜ୍ୟକୁ କେତେ ସଂଖ୍ୟକ ଫେରିଥିଲେ ପ୍ରବାସୀ? ଗୃହରେ ଉତ୍ତର ରଖିଲେ ଶ୍ରମମନ୍ତ୍ରୀ

ଫେରିଛନ୍ତି ୧୦ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ

  • ଫେରିଛନ୍ତି ୧୦ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ
  • କରୋନା ବେଳେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ
  • ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ଫେରିଛନ୍ତି ୧୦ ଲକ୍ଷ ୭ ହଜାର ୩୩୦ ପ୍ରବାସୀ
  • ବିଧାନସଭାରେ ଉତ୍ତର ରଖିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ। ଗତବର୍ଷ ମାର୍ଚ୍ଚ ମାସରୁ ଅକ୍ଟୋବର ମଧ୍ୟରେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ୭ ହଜାର ୩୩୦ ଜଣ ପ୍ରବାସୀ ଶ୍ରମିକ। ବିଧାନସଭାରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ। ପ୍ରବାସୀ ଫେରନ୍ତା ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ନିର୍ଦ୍ଦିଷ୍ଟ ରହଣି ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣକା ୨ ହଜାର ଟଙ୍କା ଲେଖାଏଁ ସହାୟତା ମଧ୍ୟ ଦିଆଯାଇଛି।

୨୦୨୦ ଅଗଷ୍ଟ ସୁଦ୍ଧା ୬ ଲକ୍ଷ ୭୩ ହଜାର ୭୯ ଜଣ ପ୍ରବାସୀ ଶ୍ରମିକଙ୍କୁ ୧୩୪ କୋଟି ୬୨ ଲକ୍ଷ ଟଙ୍କା ବଣ୍ଟନ କରାଯାଇଛି। ଏହାସହ ଶ୍ରମିକମାନଙ୍କ ଜୀବିକା ନିରାପତ୍ତା ସହ ରୋଜଗାର ସୃଷ୍ଟି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ କଟକଣା କୋହଳ ପରେ ଶ୍ରମିକମାନେ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ପଳାଇଥିବା ସମ୍ବନ୍ଧୀୟ ତଥ୍ୟ ବିଭାଗର ହସ୍ତଗତ ହୋଇନଥିବା ମନ୍ତ୍ରୀ କହିଛନ୍ତି।

ସେହିପରି ଶ୍ରମିକମାନଙ୍କ ଜୀବିକା ନିରାପତ୍ତା ନିମନ୍ତେ ମନରେଗା ଓ ମିସନ ଶକ୍ତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଇତ୍ୟାଦି ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ମାଧ୍ୟମରେ କୋଭିଡ-୧୯ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜକୁ କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।

ଏଥିସହିତ ସରକାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ନିର୍ମାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଇତ୍ୟାଦି ବିଭାଗରେ ପ୍ରଚଳିତ ଯୋଜନା ଓ କାର୍ଯ୍ୟକ୍ରମ ଅଧୀନରେ ଶ୍ରମିକମାନଙ୍କ ଜୀବିକା ନିରାପତ୍ତା ନିମନ୍ତେ ରୋଜଗାର ସୁଯୋଗ ସୃଷ୍ଟି କରୁଥିବା ଜଣାପଡ଼ିଛି। ତେବେ କରୋନା ସମୟରେ ଅନେକ ପ୍ରବାସୀ ରାଜ୍ୟକୁ ଆସିଥିଲେ କିନ୍ତୁ କାମ ନପାଇବାରୁ ପୁଣି ଥରେ ପେଟପାଟଣା ଲାଗି ଅନ୍ୟ ରାଜ୍ୟକୁ ଚାଲିଯାଇଥିବା ବିରୋଧୀ କହିଥିଲେ।

You might also like