ବର୍ଷେ ତଳେ ନକ୍ସଲ ସଂଗଠନ ଛାଡ଼ିଥିଲେ, ହେଲେ ଆତ୍ମହତ୍ୟା କଲେ

ଫୁଲବାଣୀ: ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ। ଅନ୍ୟମାନଙ୍କ ପରି ସେ ବି ଘର ସଂସାର କରିବେ। ପରିବାରର ହସଖୁସି ଭିତରେ ନିଜକୁ ସାମିଲ କରି ଶାନ୍ତିରେ  ବଞ୍ଚିବେ। ସେଥିପାଇଁ ନକ୍ସଲଙ୍କ ହାତ ଛାଡ଼ି ଦେଇଥିଲେ। ଗତବର୍ଷ ମାର୍ଚ୍ଚ ୨୯ ତାରିଖରେ ନକ୍ସଲ ସଂଗଠନ ଛାଡ଼ି ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ହେଲେ ଫୁଲବାଣୀ ପୋଲିସ ବାରକ୍‌ ପରିସରରୁ ଗତକାଲି ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏମିତି ଦୁଃଖଦ କାହାଣୀ ହଉଛି ମାଓବାଦୀରୁ ସାଧାରଣ ମଣିଷ ପାଲଟିଥିବା ସୁଜା କହଁରଙ୍କର।

ଫିରିଙ୍ଗିଆ ଥାନା ଗାରଗିସ ଗାଁର ସୁଜା କହଁର ୨୦୧୬ ମସିହାରେ  କଡ଼ିଙ୍ଗ ଏରିଆ କମିଟି ସଦସ୍ୟ ଭାବେ ଯୋଗ ଦେଇଥିଲେ। ଅନେକ ମାଓ ହିଂସାକାଣ୍ଡରେ ସୁଜା ସଂପୃକ୍ତ ଥିଲେ।  କଞ୍ଜାଲାଗୁ ଘାଟି ଓ ଗଗଡ଼ପଟା ଗାଁରେ ହୋଇଥିବା ଏନ୍‌କାଉଣ୍ଟର, ଠିକାଦାରଙ୍କ ଗାଡ଼ି ପୋଡି ଆଦି  ଘଟଣାରେ ସମ୍ପୃକ୍ତ ଥିଲେ ସୁଜା। ହେଲେ ଏପରି କାମରେ ଅତିଷ୍ଠ ହୋଇ ମାଓ ସଂଗଠନ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ।

୨୦୧୯ ମାର୍ଚ୍ଚ ୨୯ ତାରିଖରେ ଦୁର୍ଦ୍ଦାନ୍ତ ସୁଜା ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ସରକାରୀ ନିୟମ ମୁତାବକ ତାଙ୍କୁ ମିଳିଥିଲା ପ୍ରୋତ୍ସାହନ ରାଶି। ତେବେ ଜୀବନ ପ୍ରତି ବିପଦ ଥିବାରୁ ସେ ତାଙ୍କ ଭାଇ, ଭାଉଜଙ୍କ ସହ ମିଶି ବ୍ୟାରାକ ଭିତରେ ଏକ ଘରେ ରହୁଥିଲେ।

ଗତକାଲି ସକାଳେ ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଏନେଇ ଫୁଲବାଣୀ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।  ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଥିବା ବେଳେ, କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି । ମାମଲାର ଅଧିକ ଖୋଳତାଡ଼ କରୁଛି ପୋଲିସ। 

 

You might also like