କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା ଏତେ ହୁଗୁଳା? ଖାଦ୍ୟ ଫୋପାଡ଼ିଲେ, ଘରକୁ ପଳାଇଲେ

ଭୁବନେଶ୍ୱର: ଓଡ଼ିଶାକୁ ଫେରିବାରେ ଲାଗିଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ ହେଲେ କିଛି ସ୍ଥାନରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ଉପୁଜିଛି ଅସନ୍ତୋଷ। କେଉଁଠି ନିମ୍ନମାନର ଖାଦ୍ୟ ଦିଆଯାଉଛି ତ ଆଉ କେଉଁଠି କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। କ୍ୱାରେଣ୍ଟାଇନ୍ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରି ଫିଙ୍ଗାପୋପଡ଼ା କଲେ ପ୍ରବାସ ଫେରନ୍ତା।

କ୍ୱାରେଣ୍ଟିନ୍ ସେଣ୍ଟରରୁ ମୁହଁ ମୋଡ଼ି ଫେରିଗଲେ ଗାଁକୁ। ଗଂଜାମ ଜିଲ୍ଲାର ସୁରତ ଫେରନ୍ତା ଖାଦ୍ୟପେୟକୁ ନେଇ ହଙ୍ଗାମା ମଚାଇବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚାଲି ଚାଲି ଗାଁକୁ ଫେରିଯାଉଛନ୍ତି ଏମାନେ।

ଗତକାଲି ୨ଟି ବସ୍‌ରେ ୧୦୦ରୁ ଅଧିକ ସୁରତ ଫେରନ୍ତାଙ୍କ ସହ ଏମାନେ ଆସି ଶତ୍ରୁଶୋଳ ଆଦର୍ଶ ବିଦ୍ୟାଳୟର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। କିନ୍ତୁ ସେଠି ନିମ୍ନମାନର ଜଳଖିଆ ଦିଆଯାଇଥିବା ଅଭିଯୋଗ କରି ତମ୍ବିତୋଫାନ କରିଥିଲେ ଏମାନେ। ଯାହାର ଏକ ଭିଡ଼ିଓ ବି ଭାଇରାଲ୍ ହୋଇଥିଲା। ଏହାପରେ କ୍ୱାରେଣ୍ଟିନ ସେଣ୍ଟରରୁ ମୁହଁମୋଡ଼ି ଚାଲି ଯାଇଥିଲେ ସମସ୍ତେ।

ସେହିପରି ବେଗୁନିଆପଡ଼ା ବ୍ଲକ ଜନତା ହାଇସ୍କୁଲ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ମଧ୍ୟ ଛତ୍ରଭଙ୍ଗ ଦେଇଥିଲେ ପ୍ରବାସୀ ଓଡ଼ିଆ। ପରେ ଗଞ୍ଜାମ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ କିଛି ଲୋକଙ୍କୁ ଫେରାଇ ଆଣିଥିବା ସୂଚନା ମିଳିଛି।

ସେହିପରି ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳର ଗୁଜରାଟ ଏବଂ ତାମିଲନାଡୁ ଫେରନ୍ତାଙ୍କ ପଞ୍ଜିକରଣ ସହ ନମୂନା ବି ସଂଗ୍ରହ କରାଯାଇଛି। କିନ୍ତୁ ଏମାନଙ୍କ ପାଇଁ ନା କୌଣସି କ୍ୱାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି ନା ରହିବା ପାଇଁ ବନ୍ଦୋବସ୍ତ। ଫଳରେ ବାଧ୍ୟ ହୋଇ ଦୂରଦୂରାନ୍ତରେ ଥିବା ନିଜ ଗନ୍ତବ୍ୟସ୍ଥଳକୁ ଚାଲି ଚାଲି ଯାଉଥିଲେ ଏମାନେ। ବନ୍ତ ଛକ ଠାରେ ପୋଲିସ ଅଟକାଇଥିଲେ ବି କୌଣସି ଖାଇବା ପିଇବା ବନ୍ଦୋବସ୍ତ କରାଯାଇନଥିଲା ତାଙ୍କ ପାଇଁ। ଶେଷରେ ଜିଲ୍ଲା ପ୍ରଶାସନ ସହଯୋଗରେ ଭଣ୍ଡାରୀପୋଖରୀ ଆଇଟିଆଇ କେନ୍ଦ୍ରରେ ଏମାନଙ୍କୁ ରଖାଯାଇଛି।

ତେବେ କ୍ୱାରେଣ୍ଟାଇନ ବ୍ୟବସ୍ଥାରେ କାହିଁକି ଏତେ ହୁଗୁଳା ବ୍ୟବସ୍ଥା? କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ଦେଖାଶୁଣା କରିବାକୁ ଥିବା କର୍ମଚାରୀ କିମ୍ବା ଅଧିକାରୀଙ୍କ ଏହା ଚରମ ଅବହେଳା ନୁହେଁ କି ? ସରକାରଙ୍କ ନିୟମ କହୁଛି, ଯେଉଁମାନେ ରାଜ୍ୟ ବାହାରୁ ଫେରିବେ, ପଞ୍ଜିକରଣ କରିବା ବାଧ୍ୟ। ସେମାନେ ଓଡ଼ିଶାରେ ପହଞ୍ଚିଲା ପରେ ପ୍ରଥମେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ। ଆଉ ଏଥିପାଇଁ ଗ୍ରାମାଞ୍ଚଳର କ୍ୱାରେଣ୍ଟିନ ସେଣ୍ଟର ଗୁଡ଼ିକରେ ଟୁଥବ୍ରସ୍‌ ଠାରୁ ଆରମ୍ଭ କରି ପାଣି ବୋତଲ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।

ତାସହ ଏମାନଙ୍କୁ ଦିନକୁ ୧୨୦ ଟଙ୍କାରେ ଦିଓଳି ଭୋଜନ, ଜଳଖିଆ ସହ ଚାପାଣିର ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ରହିଛି। ଏପରିକି ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ। ତେବେ କ୍ୱାରେଣ୍ଟିନ ନିୟମ ଭାଙ୍ଗି ବିଶୃଙ୍ଖଳା କରୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର।

କ୍ୱାରେଣ୍ଟାଇନ୍‌ ନିୟମ ନମାନିଲେ ଏବଂ ବିଶୃଙ୍ଖଳିତ ହେଲେ ଦୂର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯିବା ସହ କ୍ୱାରେଣ୍ଟାଇନ୍ ଅବଧିକୁ ବଢ଼ାଇ ଦିଆଯିବ। ତାସହ ସଂପୃକ୍ତ ଅମାନିଆଙ୍କୁ ଆଉ କୌଣସି ପ୍ରୋତ୍ସାହନ ରାଶି ଦିଆଯିବ ନାହିଁ। ଆବଶ୍ୟକସ୍ଥଳେ ଗିରଫ ବି କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଆଗକୁ ବିଭିନ୍ନ ରାଜ୍ୟରୁ ଆହୁରି ପ୍ରବାସୀ ଓଡ଼ିଆ ଫେରିବାକୁ ଥିବାବେଳେ ଏଭଳି ଯଦି କ୍ୱାରେଣ୍ଟାଇନ୍‌ ନିୟମ ଉଲଂଘନ ହୁଏ, ତେବେ ସଂକ୍ରମଣ ସମସ୍ୟା ବଢ଼ିବାର ଆଶଙ୍କା ରହିଛି।

You might also like