ସୁର ବାବାଙ୍କ ଦେହାନ୍ତ
ଭୁବନେଶ୍ୱର: ତ୍ରାହି ଅଚ୍ୟୁତ୍ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କ ଦେହାନ୍ତ ହୋଇଛି।
ଅସୁସ୍ଥତା ଯୋଗୁ ଗତ କିଛି ଦିନ ହେଲା ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ଆଶ୍ରମରେ କେଳେଙ୍କାରୀ ଅଭିଯୋଗ ନେଇ ୨୦୧୫ରେ ସୁର ବାବା ଗିରଫ ହୋଇଥିଲେ। ତାଙ୍କର ଦୁଇ ପୁଅ ତ୍ରିଲୋଚନ ଏବଂ ବିରଞ୍ଚିଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିଲା। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟିଶାସନରେ ତ୍ରାହି ଅଚ୍ୟୁତ ଆଶ୍ରମ ରହିଛି।
ଜବରଦଖଲ, ସମ୍ପତ୍ତି ହଡପ, ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଏବଂ ମହିଳାଙ୍କୁ ବ୍ଲାକ୍ମେଲ୍ କରି ଯୌନ ନିର୍ଯାତନା ଦେବା ଭଳି ସଙ୍ଗୀନ ଅଭିଯୋଗ ଥିଲା ସୁର ବାବାଙ୍କ ନାଁରେ। ଗିରଫ ହେବାର ଅଢ଼େଉ ବର୍ଷ ପରେ ସୁପ୍ରିମକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିଥିଲେ ସୁର ବାବା।