ବିଧାନସଭାରେ ମଣ୍ଡି ତାତି : ‍ବିରୋଧୀଙ୍କ ହୋହାଲ୍ଲା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଧାନ କିଣା ପ୍ରସଙ୍ଗ ନେଇ ଯୋଗାଣ ମନ୍ତ୍ରୀଙ୍କୁ ବିବୃତି ଦେବାକୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର : ବିଧାନସଭାରେ ମଣ୍ଡି ତାତି । ମଣ୍ଡିରୁ ଚାଷୀଙ୍କ ସବୁ ଧାନ ଉଠାଇବା ଦାବିରେ ଗୃହରେ କଂଗ୍ରେସ ଓ ବିଜେପିର ହଟଗୋଳଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି।  ପ୍ରଥମେ ପ୍ରଶ୍ନକାଳରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ରଖାଯାଇଥିଲା । ହେଲେ ପରେ ବି ଗୃହ ସ୍ୱାଭାବିକ ନହେବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି । ତାସହ ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ ବିବୃତି ଦେବାକୁ ବି ରୁଲିଂ ଦେଇଛନ୍ତି ବାଚସ୍ପତି ।

 

ଚାଷୀ ଓ ମଣ୍ଡି ସମସ୍ୟାର ସମାଧାନ ନେଇ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନଥିବାରୁ ସରକାର ବିଶ୍ୱାସଘାତକତା କରିଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଗୃହ ଅଚଳ ହେବା ପରେ, ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି, ସେଠାରେ ଯାହା ନିଷ୍ପତ୍ତି ହେଲା, ଗୃହରେ ମନ୍ତ୍ର ସରକାରଙ୍କ ପକ୍ଷରୁ ସେହି ଉକ୍ତି ପଢ଼ିଦେଲେ । ନିଜ ଜମିରେ ଚାଷ କରିଥିବା ଲୋକଙ୍କ ଠାରୁ ସରକାର ଧାନ କିଣିବେ ବୋଲି ନିଷ୍ପତ୍ତି ହେଲା। ଅନ୍ୟପଟେ ଯେଉଁମାନେ ମିଛ କହି ଟୋକନ୍ ନେଉଛନ୍ତି ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଘୋଷଣା କରାଗଲା। ହେଲେ ଦୁର୍ଭାଗ୍ୟର ବିଷୟ ଯେଉଁମାନେ ଠକ ତାଙ୍କ ବିରୋଧରେ ସରକାର କେସ କଲେନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଏହା ପ୍ରକୃତ ଚାଷୀମାନଙ୍କ ପ୍ରତି ବେଇମାନୀ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।  ସେହିପରି ଯେ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିନି ସେଯାଏଁ ଗୃହ ଚାଲିବାକୁ ଦିଆଯିବନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଅନ୍ୟପଟେ ଧାନ କିଣା ପ୍ରସଙ୍ଗରେ ବିଜେପି କହିଛି,ସରକାର ଗୃହର ଗାରିମା ଭାଙ୍ଗିଛନ୍ତି, ଗୃହର ନିଷ୍ପତ୍ତି କାର୍ଯ୍ୟକାରୀ ହେଉନି । ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ଗୃହ ଯେଉଁ ନିଷ୍ପତ୍ତି ନେଇଛି ତାହା ଯଦି କାର୍ଯ୍ୟକାରୀ ହୋଇପାରୁନି। ଆଜି ବି ଅନେକ ମଣ୍ଡିରେ ଧାନ ପଡ଼ିଛି, ଚାଷୀଙ୍କ କର୍ଷ ଅର୍ଜିତ ସମ୍ପତ୍ତିକୁ ଗାଈଗୋରୁ ଖାଉଛନ୍ତି। ତେଣୁ ଏପରି ସମସ୍ୟାର ତୁରନ୍ତ ସମାଧାନ ହେଉ ତଥା ପ୍ରକୃତ ଚାଷୀଙ୍କ ଧାନ ଉଠାନ୍ତୁ ବୋଲି ଦାବି କରାଯାଇଛି।

ସେହିପରି ଧାନ କିଣା ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ବିଧାୟକ ନାଉରୀ ନାୟକ। ସରକାର ଗୃହରେ ମିଛ କହୁଛନ୍ତି, ସାଧାରଣ ଲୋକଙ୍କୁ କେତେ ସତ କହୁଥିବେ ବୋଲି ଅଭିଯୋଗ ଆଣିଛନ୍ତି। ମଣ୍ଡିରେ ପଡ଼ିରହିଥିବା ଧାନ କିଣାଯିବ ବୋଲି ସରକାର ବୈଠକ କରି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଆଜିକୁ ୧୨ ଦିନ ହେଲାଣି, ସରକାର ତାଙ୍କ କଥା ରଖିପାରିନାହାନ୍ତି। ରାଜ୍ୟରେ କୌଣସି ସ୍ଥାନରେ ଧାନ କିଣିବାର ପ୍ରକ୍ରିୟା ଆରମ୍ଭ ହୋଇନି। ଆଜି ବି ବିଭିନ୍ନ ମଣ୍ଡିରେ ଧାନ ପଡ଼ିରହିଛି। ସେପଟେ ଚାଷୀଙ୍କ ସବୁ ଧାନ କିଣା ନହେଲେ ବିଧାନସଭାରେ ଆତ୍ମାହୁତି ଦେବାକୁ ପୁନର୍ବାର ଚେତାବନୀ ଦେଇଛନ୍ତି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।

 

You might also like