ବଞ୍ଚି ଥାଉ ଥାଉ ପୁଅର ଶୁଦ୍ଧିକ୍ରିୟା କଲେ ବାପା-ମା’
ବ୍ରହ୍ମପୁର: ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ଆମ ଧର୍ମର ଏକ ପରମ୍ପରା। ଆପଣାର ଲୋକଙ୍କୁ ହରାଇବାର ଦୁଃଖ ଯେତେ ଗଭୀର ହେଉ ନା କାହିଁକି, ଶୁଦ୍ଧିକ୍ରିୟା ଆମକୁ କରିବାକୁ ପଡ଼ିବ। ହେଲେ ବଞ୍ଚିଥିବା ମଣିଷର ଶୁଦ୍ଧିକ୍ରିୟା ! ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ବଞ୍ଚି ଥାଉ ଥାଉ ଶିଶୁର ଶୁଦ୍ଧିକ୍ରିୟା କରିବାକୁ ବାଧ୍ୟ ହୋଇଛନ୍ତି ପରିବାର ଲୋକେ। କଷ୍ଟ ହେଲେ ମଧ୍ୟ ଗ୍ରାମବାସୀଙ୍କ ଚାପରେ ବାପା-ମା‘ ଏପରି କରିବାକୁ ବାଧ୍ୟ ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଅଞ୍ଚଳରେ।
ଗାୟାଗଣ୍ଡା ପଞ୍ଚାୟତ ବାଘୁଆ ଗାଁର ଘଟଣା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମବାସୀ ବଞ୍ଚି ଥାଉ ଥାଉ ଜଣେ ଶିଶୁର ଶୁଦ୍ଧିକ୍ରିୟା କରିଛନ୍ତି। ଗାଁର ରାମଚନ୍ଦ୍ର ନାୟକଙ୍କ ପୁଅର ଶରୀର ସାରା ଲୋମ ରହିଛି । ଜନ୍ମରୁ ତା’ ଶରୀରର ଏପରି ବିକୃତି ଦେଖାଦେଇଥିଲା। ସେତିକି ନୁହେଁ, ମୁହଁରେ ମାଂସ ପିଣ୍ଡୁଳା ବାହାରି ଲୋମ ଭର୍ତ୍ତି ହୋଇ ଯାଇଥିଲା ।
ପରିବାର ଲୋକେ କିଛି ଦିନ ତଳେ ପୁଅର ଅପରେସନ କରାଇଥିଲେ। ହେଲେ କିଛି ଦିନ ପରେ ତାର ଦେହସାରା କୁଣ୍ଡେଇ ହୋଇ ଘା ହୋଇଯାଇଥିଲା। ଏହା ଦେଖି ଗାଁଲୋକ ଏହାକୁ ଭିନ୍ନ କିଛି ଭାବି ନେଇଥିଲେ। ଉକ୍ତ ପରିବାରକୁ ୨୧ ଦିନ ପାଇଁ ବାସନ୍ଦ କରିଦେଇଥିଲେ । ବାପା ଧାର କରଜ କରିଥିଲେ। ଜିଲ୍ଲା ପ୍ରଶାସନର ସହାୟତାର ହାତ ବଢାଇଥିଲା। ଏହାପରେ ବାପା-ମା’ ପୁଅର ଚିକିତ୍ସା MKCG ମେଡିକାଲ କଲେଜ ଏବଂ ହସ୍ପିଟାଲ୍ର ଶିଶୁ ସର୍ଜରୀ ବିଭାଗରେ କରାଇଥିଲେ। ସଠାରେ ପୁଅ ସୁସ୍ଥ ହୋଇଥିଲା।
ତେବେ ଘରକୁ ଫେରିବା ବେଳେ ଗାଁ ଲୋକ ପୁଅକୁ ଛୁଇଁବେନି ବୋଲି କହିଥିଲେ । ପୁଅକୁ ଗାଁରେ ନ ପୁରାଇ ଗଛମୂଳେ ରଖିବା ସହ ତା‘ର ଶୁଦ୍ଧକ୍ରିୟା କରିବାକୁ କହିଥିଲେ । ଏପରିକି କାହ୍ନାକୁ ଲଣ୍ଡା କରିବା ସହ ଗାଁ ଲୋକଙ୍କୁ ଭୋଜିଭାତ ଦେବାକୁ ଗ୍ରାମବାସୀ ଅଡ଼ି ବସିଥିଲେ । ଏସବୁ କଲେ ପରିବାର ଗାଁରେ ମିଶିବ ବୋଲି କହିଥିଲେ।
ବାପା ରାମଚନ୍ଦ୍ର ଏକଥା ଶୁଣିବା ପରେ ୧୦/୧୫ ହଜାର ଟଙ୍କା କରଜ କରି ଶେଷରେ ପୁଅର ଶୁଦ୍ଧିକ୍ରିୟା କରିବାକୁ ବାଧ୍ୟ ହୋଇଥିଲେ। ନିକଟସ୍ଥ ଜଙ୍ଗଲକୁ ପୁଅକୁ ନେଇ ସେଠାରେ ଲଣ୍ଡା କରିଥିଲେ। ନଦୀ କୂଳେ ରୋଷେଇ କରି ଗାଁ ଲୋକଙ୍କୁ ଖାଇବାକୁ ଦେଇଥିଲେ । ଏସବୁ କର୍ମ କରିବା ପରେ ଏବେ ପରିବାର ଉପରୁ ବାସନ୍ଦ ହଟିଥିବା ଜଣାଯାଇଛି।