କରଞ୍ଜିଆ(ଦୀପକ ମହାନ୍ତ): ରିଷ୍ଟ ଖଣ୍ଡନ ପାଇଁ କୁକୁର ସହିତ ବାହାଘର। କଥାଟା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏଭଳି କିଛି ନିଆରା ପରମ୍ପରା ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି। ମକର ପର୍ବ ଠାରୁ ଶିବରାତ୍ରୀ ପର୍ଯ୍ୟନ୍ତ ନିଜ ନିଜ ସନ୍ତାନଙ୍କ ରିଷ୍ଟ ଖଣ୍ଡନ ଲାଗି ଏଠାକାର ହୋ ସଂପ୍ରଦାୟର ଲୋକେ କୁକୁର ସହ ନିଜ ସନ୍ତାନଙ୍କ ବିବାହ କରାଇଥାନ୍ତି। ଏହି ପରମ୍ପରା ହେଉଛି ୧୦୦ ବର୍ଷ ପୁରୁଣା।
ହୋ ସଂପ୍ରଦାୟରେ ଶିଶୁ ଜନ୍ମ ହେବା ପରେ ପ୍ରଥମ ଦାନ୍ତ ଉପର ମାଢ଼ିରେ ବାହାରିଲେ ତାକୁ ଅଶୁଭ ବୋଲି ମାନି ଥାଆନ୍ତି ହୋ ସମ୍ପ୍ରଦାୟର ଲୋକେ। ସେହି ଦାନ୍ତକୁ ସେମାନେ କୁକୁର ଦାନ୍ତ ବୋଲି କହିଥାନ୍ତି। ଏଥିପାଇଁ ହୋ ସମ୍ପ୍ରଦାୟର ଲୋକେ କୁକୁର ସହିତ ଶିଶୁର ବାହାଘର କରିଥାନ୍ତି।
ରିଷ୍ଟ ଖଣ୍ଡନ କରିବା ପାଇଁ ପ୍ରଥମେ ଦୋଛକି ନିକଟରେ ପୂଜାର୍ଚ୍ଚନା କରିଥାନ୍ତି। ପୂଜାର୍ଚ୍ଚନା ସରିଲା ପରେ ଶିଶୁର ଘର ଲୋକେ ବାହାଘର ପାଇଁ କୁକୁର ଖୋଜି ଥାଆନ୍ତି। ଯାହା ଘରେ କୁକୁର ଥାଏ, ତାଙ୍କ ଘରକୁ ବାହାଘର ପ୍ରସ୍ତାବ ଦିଆଯାଏ। ଝିଅ ଘରକୁ ହାଣ୍ଡିଆ ମଦ ନିଆଯାଇ ପ୍ରସ୍ତାବ ଦିଆଯାଏ। ସେଠାରେ ପହଞ୍ଚିବା ପରେ କନ୍ୟା ଘର ଲୋକ ବର ଘର ଲେକମାନଙ୍କ ପାଦ ଧୋଇବା ସହିତ ଅତିଥି ଚର୍ଚ୍ଚା କରିଥାନ୍ତି। ସେଠାରେ ଉଭୟ ପକ୍ଷରୁ ଆଲୋଚନା ହୋଇ ବାହାଘର ସ୍ଥିର ହୋଇଥାଏ ।
ବାହାଘର ଠିକ୍ ହେଲା ପରେ କନ୍ୟା ଧୂମସା ମାଦଲ ବଜେଇ ପାରମ୍ପରିକ ନୃତ୍ୟ ପରିବେଷଣ କରି ବର ଘରକୁ ଆସିଥାନ୍ତି। ଏହାସହ କୁକୁର ଛୁଆକୁ ନୂଆ ଡ୍ରେସ୍ ପିନ୍ଧା ଯାଇଥାଏ। ଏହାପରେ ପାରମ୍ପରିକ ପ୍ରଥା ଅନୁଯାୟୀ ବାହାଘର ହୋଇଥାଏ।