ସୂର୍ଯ୍ୟମୁଖୀ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ : ଆନନ୍ଦପୁରରେ କୃଷି ବିଭାଗ ପକ୍ଷରୁ ମିିଳୁଛି ପ୍ରୋତ୍ସାହନ

ଗଞ୍ଜାମରେ ବାରହା ଉତ୍ପାତ ଯୋଗୁଁ ସୂର୍ଯ୍ୟମୁଖୀ ନଷ୍ଟ

ଆନନ୍ଦପୁରର,ଆସିକା(ଲୋକନାଥ ସିଂ, ମନୋଜ ମୁନି): ଧାନ ଓ ପନିପରିବା ବାଦ ତୈଳ ଜାତୀୟ ଫସଲ କରି କେଉଁଠି ଚାଷୀ ଲାଭବାନ ହେଉଛି ତ ଆଉ କେଉଁଠି ଉପଯୁକ୍ତ ତାଲିମ ଓ ସହଯୋଗ ଅଭାବରୁ କ୍ଷତି ସହୁଛି ଚାଷୀ । କେନ୍ଦୁଝର ଆନନ୍ଦପୁରର ଚାଷୀ ଏଥର ସୂର୍ଯ୍ୟମୁଖୀ ଚାଷ କରି ବେଶ ଲାଭବାନ ହୋଇଛନ୍ତି । ସେପଟେ କିନ୍ତୁ ଆସିକାରେ ସୂର୍ଯ୍ୟମୁଖୀ ଉଜାଡି ଦେଇଛି ଚାଷୀର ମେରୁଦଣ୍ଡ ।

ସବୁଜ କ୍ଷେତରେ ଖିଲି ଖିଲି ହସୁଛି ହଳଦୀମୁଖି । ସୁଲୁସୁଲିଆ ପବନରେ ଅଣ୍ଟା ହଲେଇ ନାଚୁଛି । ଥରୁଟିଏ ବୁଲି ଆସିଲେ ଯେମିତି ମନରୁ ଉଭେଇ ଯାଉଛି ସବୁ କ୍ଲାନ୍ତି, ଅବସାଦ । ସୂର୍ଯ୍ୟମୁଖୀ କ୍ଷେତ ଲାଗି ଏମିତି ସଜେଇ ହୋଇଛି ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତର ପୁରୁଣାଘାଟି ଗାଁ  । ଆଉ ଏଠିକାର ଶହେରୁ ଅଧିକ ପରିବାର ଏବେ ସୂର୍ଯ୍ୟମୁଖୀ ଚାଷ କରି ବେଶ ଲାଭବାନ ହୋଇଛନ୍ତି । ଚଳିତ ଥର ଅମଳ ବି ବେଶ ଭଲ ହୋଇଛି  । ପୂର୍ବରୁ ଧାନ ଚାଷ ପରେ ପଡିଆ ପଡୁଥିଲା କ୍ଷେତ ଏବେ ଶସ୍ୟସାମଳା । ଏଥିଲାଗି କୃଷି ବିଭାଗ ପକ୍ଷରୁ ତାଲିମ ସହ ପ୍ରୋତ୍ସାହନ ବି ମିଳିଥିଲା । ଆଉ ଅମଳ ପରେ ବିକ୍ରି ପାଇଁ ବି ସୁବିଧା ଦେଉଛି କୃଷି ବିଭାଗ ।

ଏପଟେ ଗଞ୍ଜାମ ଜିଲ୍ଲା ଆସିକାରେ କିନ୍ତୁ ଚାଷୀଙ୍କୁ ଦୁଃଖ ଦେଇଛି ସୂର୍ଯ୍ୟମୁଖୀ । ଆଲିପୁର ପଞ୍ଚାୟତ ଗବନଳା ଗାଁରେ ହେକ୍ଟର ହେକ୍ଟର ଜମିରେ ଚାଷ କରିଛି ଚାଷୀ । ହେଲେ ଅମଳ ବେଳକୁ କିରା , ବାରାହଙ୍କ ଉପଦ୍ରବ ଚାଷୀଙ୍କ ନିଦ ହଜିଛି । ଦିନ ରାତି କ୍ଷେତକୁ ଜଗିଥିଲେ ବି ନଷ୍ଟ ହୋଇଛି ଫସଲ  । ହାତ ଉଧାରୀ ଓ ଋଣ ଏବେ କେମିତି ସୁଝିବେ ସେଇ ଚିନ୍ତାରେ ଚାଷୀ । ସେପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ଅଭିଯୋଗ ଆସିଲେ କ୍ଷେତ୍ର ପରିଦର୍ଶନ ପାଇଁ ଯିବ ଟିମ୍ ।

You might also like