ସୁନ୍ଦରଗଡ଼: ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ଗହଣରେ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଆମଗୋଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।
ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଆମଗୋଭା ଗାଁରେ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଲା ପରେ ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ସେ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ କ୍ଲାସ୍ ରୁମ୍ରେ ପିଲାମାନଙ୍କ ସହ କଥା ହୋଇଥିଲେ। ଏହାସହ ପିଲାଙ୍କୁ ପାଠ ମଧ୍ୟ ପଚାରି ବୁଝିଥିଲେ। ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ସେ ଡାଇନିଂ ହଲ୍ ଯାଇ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ। ଜିଲ୍ଲାପାଳଙ୍କ ସହ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଏବଂ ଅତିରିକ୍ତ ଏସ୍ପି ରବିନାରାୟଣ ବାରିକ ମଧ୍ୟ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ।
ଏହି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲାପାଳଙ୍କ ସାଙ୍ଗରେ ଖାଇବା ପରେ ପିଲାମାନେ ମଧ୍ୟ ବେଶ୍ ଖୁସି ହୋଇଯାଇଥିଲେ।
ସୂଚନାଯୋଗ୍ୟ, ଚଳିତ ମାସରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ସାକ୍ଷୀଗୋପାଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟରେ ପିଲାଙ୍କୁ ରାମାୟଣର କଥାବସ୍ତୁ ପଢ଼ାଇଥିଲେ।