ଭୂୟାଁ ଜନଜାତିଙ୍କ ମଧ୍ୟରେ କରୋନା ସଚେତନତା ବୃଦ୍ଧି ପାଇଁ ଉଦ୍ୟମ କରୁଛି ପ୍ରଶାସନ

ସଂକ୍ରମଣ ରୋକିବାକୁ ଉଦ୍ୟମ କରୁଛି ପ୍ରଶାସନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକରେ ବସବାସ କରୁଥିବା ପାଉଡ଼ି ଭୂୟାଁ ଜନଜାତିଙ୍କ ମଧ୍ୟରେ କରୋନା ନେଇ ସଚେତନତା ବଢାଇବା ଲାଗି ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ପ୍ରଶାସନ ଟ୍ରେସିଂ, ଟେଷ୍ଟିଂ ଏବଂ ଆଇସୋଲେସନକୁ ଗୁରୁତ୍ୱ ଦେଇଛି। ପାଉଡ଼ି ଭୂୟାଁ ଅଞ୍ଚଳରେ ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱେଚ୍ଛାସେବୀ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି। ଶରୀରର ତାପମାତ୍ରା ସହ ଅକ୍ସିଜେନ ସ୍ତର ମପାଯାଉଛି। ଯାହା ପାଖରେ କିଛି ଲକ୍ଷଣ ଦେଖାଯାଉଛି ସେମାନଙ୍କୁ କୋଭିଡ୍ ପରୀକ୍ଷା କରାଯାଉଛି।

ସେହିପରି ଆକ୍ରାନ୍ତ ଚିହ୍ନଟ ହେଲେ ସେମାନଙ୍କୁ ଆଇସୋଲେସନରେ ରହିବା ଲାଗି ଟିଏମ୍ସିର ବ୍ୟବସ୍ଥା କରାଯାଇଛି। ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ବଣାଇସ୍ଥିତ କୋଭିଡ୍ କେୟାର ସେଣ୍ଟର କିମ୍ବା ରାଉରକେଲାସ୍ଥିତ ସରକାରୀ କୋଭିଡ୍ ହସ୍ପିଟାଲକୁ ଆଣିବା ଲାଗି ବ୍ୟବସ୍ଥା କରାଯାଇଛି। ସେପଟେ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ପରିବାରକୁ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ପକ୍ଷରୁ ରାସନ କିଟ୍ ଯୋଗାଯାଇଛି। ଯେଉଁଥିରେ ଚାଉଳ, ଡାଲି, ତେଲ ସହିତ ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ ରହିଛି। ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ଲାଗି ଗଠନ ହୋଇଛି ରାପିଡ୍ ରେସପନ୍ସ ଟିମ୍।

ଏପଟେ ରାଜ୍ୟରେ ଆଜି ବି ୭ ହଜାର ଉପରେ ରହିଛି ସଂକ୍ରମଣର ଟ୍ରେଣ୍ଡ୍‌। ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪,୩୩୧ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୩,୩୯୮ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। 

ଅନ୍ୟପକ୍ଷେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବି କମିଛି। ଗତକାଲି ରାଜ୍ୟରେ ସର୍ବାଧିକ ୪୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୩୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ରୁ  ୩ ଲେଖାଏଁ ଆକ୍ରାନ୍ତ  ଆଖି ବୁଜିଥିବାବେଳେ  ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ସଂକ୍ରମିତ ଆଖି ବୁଜିଛନ୍ତି।  ସେହିପରି ବଲାଙ୍ଗିର, ଢେଙ୍କାନାଳ ଓ ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରୁ  ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨,୯୧୨କୁ ବୃଦ୍ଧି ପାଇଛି।

You might also like