ଖଣ୍ଡପଡାର ସୁନ୍ଦରୀ ସୁନାମୁହିଁ : ଡ୍ୟାମ ନିକଟସ୍ଥ ପ୍ରାକୃତିକ ଶୋଭାରାଜି ଓ ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲି କିରଣ ଦର୍ଶକଙ୍କ ମନ ମୋହୁଛି

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ସୁନାମୁହିଁର ସୌନ୍ଦର୍ଯ୍ୟରେ ବିମୋହିତ ଦର୍ଶକ।ଏହି ସ୍ଥାନ ପ୍ରକୃତିର ଅସାଧାରଣ ଅପରୂପ। ବିଦେଶର ନୁହେଁ ବରଂ ଆମ ରାଜ୍ୟ ଓଡ଼ିଶାର ଏକ ଅଳ୍ପ ପରିଚିତ ପର୍ଯ୍ୟଟନସ୍ଥଳୀ। ସାଧାରଣତଃ ଆମେ କୌଣସି ସୁନ୍ଦର ଛବି ଦେଖିଲେ ମନରେ ପ୍ରଶ୍ନ ଉଠେ, ସତରେ କ’ଣ ଦୁନିଆର ଏମିତି ସ୍ଥାନ ଅଛି। ନା ଚିତ୍ରକରର ଏହା କଳ୍ପନା ମାତ୍ର । ହେଲେ ମନରେ ଏପରି ପ୍ରଶ୍ନ ଉଙ୍କି ମାରୁଥିଲେ କ୍ଷଣିକରେ ସମସ୍ତ ଭାବନାକୁ ସତରେ ପରିଣତ କରିବ ଖଣ୍ଡପଡା ବ୍ଲକର ସୁନାମୁଁହି ଡ୍ୟାମ। 

କେତେ ସୁନ୍ଦର ସତେ ସୁନାମହିଁ ଡ୍ୟାମର ଦୃଶ୍ୟ

ସିନେରୀ ଭଳି ଦେଖା ଯାଉଥିବା ଏଇ ସୁନ୍ଦର ସ୍ଥାନଟି ହେଉଛି ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ସୁନାମୁଁହି ଡ୍ୟାମ।ନୟାଗଡ଼-ଖଣ୍ଡପଡା ରାସ୍ତା କଡ଼ରେ ଥିବା ଏହି ଡ୍ୟାମଟି ଦର୍ଶକଙ୍କୁ ବେଶ ଆକୃଷ୍ଟ କରେ। ଏକ ତ୍ରିକୋଣୀୟ ପାହାଡ଼ର ତଳିଆ ଅଞ୍ଚଳରେ ବନ୍ଧ ପକାଇ ନିର୍ମିତ ହୋଇଛି ଏହି ବିଶାଳ ଜଳ ଭଣ୍ଡାର। ବନ୍ଧ ଉପରେ ଆଲୋକ ମାଳା ଏବଂ ପ୍ରବେଶ ଦ୍ୱାରରେ ସୁନ୍ଦର ତୋରଣ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି।

ଗେଟ ଭିତରକୁ ପଶିବା ମାତ୍ରେ ନଡ଼ିଆ ଗଛ ଏବଂ ସୁନ୍ଦର ଫୁଟପାଥରେ ଚାଲିବା ବେଳେ ଦର୍ଶକଙ୍କୁ ବିମୋହିତ କରେ ଏହି ସୁନ୍ଦର ସ୍ଥାନ। ପ୍ରାକୃତିକ ଶୋଭାରାଜି ସହ ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲି କିରଣ ଜଳ ରାଶିକୁ ଆହୁରି ସୁନ୍ଦର କରେ । ବନ୍ଧକୁ ଲାଗି ଏକ ସୁନ୍ଦର ଚିଲରେନ ପାର୍କ ସହ ଯୁବବର୍ଗଙ୍କ ପାଇଁ ରହିଛି ଜିମ ବ୍ୟବସ୍ଥା। ଯାହାଫଳରେ ଏଠାକୁ ଶିଶୁଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଆସିବାକୁ ଭଲ ପାଆନ୍ତି ।

ପ୍ରାକୃତିକ ଶୋଭାରାଜି ସହ ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲି କିରଣ ଜଳ ରାଶିକୁ ଆହୁରି ସୁନ୍ଦର କରୁଛି।

 ପ୍ରଥମେ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଥିଲା ସୁନାମୁଁହି ପର୍ଯ୍ୟଟନସ୍ଥଳୀ। ମାତ୍ର ଗତ ୫ବର୍ଷ ପୂର୍ବରୁ ହାରାହାରି ୨ କୋଟି ଟଙ୍କା ଖର୍ଚ୍ଚ କରି ଏହି ସ୍ଥାନର ବିକାଶ କରଯାଇଥିଲା। ହେଲେ ପ୍ରଶାସନର ରକ୍ଷଣାବେକ୍ଷଣ ଅଭାବରୁ ଏଠାରୁ ବହୁ ଜିନିଷ ଚୋଚି ହୋଇଯାଉଥିବା ଅଭିଯୋଗ ହୋଇଛି। ତେବେ ବର୍ତ୍ତମାନ ଏହି ସ୍ଥାନଟି ଖଣ୍ଡପଡା NAC କୁ ହସ୍ତାନ୍ତର ହୋଇଛି ଏବଂ NAC ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ତୁଲାଉଛି ।ଅନ୍ୟପଟେ ଏଠାରେ ବୋଟିଂ ଏବଂ ଅଲୋକୀକରଣ ବ୍ୟବସ୍ଥା କରାଗଲେ ଜାଗାଟି ଆହୁରି ସୁନ୍ଦର ହୋଇ ପାରିବ ବୋଲି ସାଧାରଣରେ ଦାବି ହୋଇଛି।

You might also like