କଟକ: କଟକ ବିଜୁ ପଟ୍ଟନାୟକ ସ୍ଥିତ ସନ୍ ହସ୍ପିଟାଲ୍କୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଶୋ’ କଜ୍ ନୋଟିସ୍ ହୋଇଥିଲା। ତେବେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ ଭାବେ ପ୍ରଶାସନ ପକ୍ଷରୁ ହସ୍ପିଟାଲ୍କୁ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି।
ଅଗ୍ନି ନିରାପତ୍ତା ଆଇନ୍ ଖିଲାପ କରିବା ସହ ବେଆଇନ୍ ଭାବେ ଚାଲିଥିବାରୁ ଏହାକୁ ବନ୍ଦ କରି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।
ଯେପର୍ଯ୍ୟନ୍ତ ସନ୍ତୋଷଜନକ ଉତ୍ତର ନ ମିଳିଛି, ସେପର୍ଯ୍ୟନ୍ତ ହସ୍ପିଟାଲ୍ ବନ୍ଦ ରହିବ। ଏହାସହ ପରବର୍ତ୍ତୀ
ନିର୍ଦ୍ଦେଶ ଯାଏ ସନ୍ ହସ୍ପିଟାଲ୍ରେ ଟ୍ରିଟ୍ମେଣ୍ଟ୍ ଓ ଟେଷ୍ଟିଂ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଫେବୃଆରୀ ୧ ତାରିଖ ଅପରାହ୍ଣରେ ‘ସନ୍ ହସ୍ପିଟାଲ୍’ରେ ନିଆଁ ଲାଗି ଯାଇଥିଲା। ହସ୍ପିଟାଲ୍ର ପଞ୍ଚମ ମହଲାଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଧ୍ୱଂସ ହୋଇ ଯାଇଥିଲା। ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ଓ ୫୦ ଜଣ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ୧୧ ଜଣ ରୋଗୀ ଥିଲେ ଓ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ତଦନ୍ତ ପରେ ଜଣାପଡ଼ିଥିଲା ଯେ, ହସ୍ପିଟାଲ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିଲା। ଅଗ୍ନି ନିରାପତ୍ତା ସମ୍ପର୍କିତ ଏନ୍ଓସି ନଥାଇ ହସ୍ପିଟାଲ ଚାଲିଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉତ୍ତର ସନ୍ତୋଷଜନକ ନ ହେବାରୁ ପ୍ରଶାସନ ପକ୍ଷରୁ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି।
ପଢନ୍ତୁ : ବିଳମ୍ବିତ ରାତିରେ ଜଳିଗଲା ୪ ବସ୍, ଗୋଟିଏ କାର୍