ଶୁଲିଆ ପୀଠରେ ପୁଣି ପଡ଼ିଲା ବଳି

କରୋନା କଟକଣା ଭିତରେ ଅନୁଷ୍ଠିତ ହେଲା ପ୍ରସିଦ୍ଧ ଶୁଲିଆ ଯାତ୍ରା, ପ୍ରଶାସନ ପକ୍ଷରୁ ସୁରକ୍ଷା କଡ଼ାକଡ଼ି; ଦୋକାନ ବଜାର ବନ୍ଦ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ । କରୋନା କଟକଣା ଭିତରେ ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ବଳି ପଡ଼ିଛି । ବଡ଼ଖଳା ଓ ସାନଖଳାରେ ମାନସିକଧାରୀ ବଳି ପକାଇଛନ୍ତି । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ପଡ଼ିଛି ବଳି । ପରମ୍ପରା ଅନୁସାରେ ପୂଜା ପାଠ ପରେ ପ୍ରଥମେ ପାଟ ବୋଦାକୁ ବଳି ଦିଆଯାଇଛି । ତା ପରେ ମାନସିକଧାରୀମାନେ ନିଜେ ଆଣିଥିବା ପଶୁ ପକ୍ଷୀ ବଳି ପକାଇଛନ୍ତି । ଆଦିବାସୀଙ୍କ ରୀତିନୀତି ଆଗରେ ହାର ମାନିଛି ପୋଲିସ୍ ପ୍ରଶାସନ ।

ଶୁଲିଆ ଯାତ୍ରାରେ ପଶୁ ଓ ପକ୍ଷୀଙ୍କୁ ବଳି ଦେବାର ପରମ୍ପରା ରହିଛି । ଏଥର କରୋନା କଟକଣା ସହ ଆୟୋଜିତ ହେଉଛି ଶୁଲିଆ ଯାତ୍ରା । ପୂର୍ବରୁ ମହାମାରୀ ସମୟରେ ଯାତ୍ରା ପଡୁଥିବାରୁ କୋଭିଡ କଟକଣା ମାନି ସୁଲିଆ ଯାତ୍ରା ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନେଇଥିଲେ ଶୁଲିଆ ଯାତ୍ରା କମିଟି  । ଭକ୍ତମାନଙ୍କୁ ମାସ୍କ ପିନ୍ଧି ସୁଲିଆ ବୁଢାଙ୍କ ଆଶିର୍ବାଦ ନେବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡିବ ବୋଲି ଯାତ୍ରା କମିଟି ନିଷ୍ପତ୍ତି ନେଇଥିଲା ।

ଶୁଲିଆ ଯାତ୍ରା ସମୟରେ ଦେହେରୀ, ପୂଜକ ତଥା ବଳି ଦେଉଥିବା ବ୍ୟକ୍ତି କପଡା ଜିନିଷ ପିନ୍ଧନ୍ତି ନାହିଁ । ବକ୍କଳ ଧାରଣ କରନ୍ତି । ତେଣୁ ସେମାନେ ମାସ୍କ ପିନ୍ଧି ନାହାନ୍ତି , ହେଲେ ଅନ୍ୟମାନେ ମାସ୍କ ପିନ୍ଧି ଯାତ୍ରାରେ ସାମିଲ ହୋଇଛନ୍ତି । କରୋନା କଟକଣା ଭିତରେ ଯାତ୍ରା ପାଳନ ହେଉଥିବାରୁ ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଏହାସହ ସୁଲିଆ ଯାତ୍ରା ବଡଖଳା ଓ ସାନଖଳା ନିକଟରେ ସମସ୍ତ ଦୋକାନ ବଜାରକୁ ବନ୍ଦ କରଯାଇଛି । ସୁଲିଆ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜଣେ ଡିଏସପିଙ୍କ ଦାୟିତ୍ୱରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି  । ଶୁଲିଆ ଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ୨ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି । କାହିଁ କେତେ କାଳରୁ ପ୍ରତି ବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ସୁଲିଆ ଯାତ୍ରା ପାଳନ କରାଯାଇଥାଏ । ହେଲେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସତ୍ତ୍ବେ ଶୁଲିଆ ପୀଠରେ ହଜାର ହଜାର ସଂଖ୍ୟ‌ାରେ ପଶୁପକ୍ଷୀଙ୍କୁ ବଳି ପଡ଼ିଥାଏ ।

You might also like