ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ

ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଅନୁଗୁଳ(ବିରଜା ପ୍ରସାଦ ଦାସ)- ପୋଲିସ ଓ ପ୍ରଶାସନଠୁ ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ବିଧବା ମହିଳା। ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆଜି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି। ମହିଳାଙ୍କ ଘର ବିକ୍ରମପୁର ଥାନା ଅଞ୍ଚଳର ଗୋବରା ଗାଁରେ ଜମି ବାଡ଼ି ଭାଗବଣ୍ଟାକୁ ନେଇ ମହିଳାଙ୍କ ଦେଢଶୂର ତାଙ୍କୁ ହଇରାଣ କରୁଥିବା ନେଇ ସେ ପୋଲିସ ଓ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ବି ସୁଫଳ ମିଳୁନଥିବା କହିଛନ୍ତି।

୧୪ ବର୍ଷ ତଳେ ସ୍ୱାମୀଙ୍କ ହରାଇ ଥିବା ମହିଳା ତାଙ୍କ ରୋଗାକ୍ରାନ୍ତ ପୁଅକୁ ଧରି ଦୁଃଖ କଷ୍ଟରେ ଚଳି ଆସୁଛନ୍ତି। ଏହାସତ୍ତ୍ୱେ ତାଙ୍କୁ ହଇରାଣ କରାଯିବା ଏବଂ ପୋଲିସ ସହାୟତା ନକରିବା ପ୍ରତିବାଦରେ ଆଜି ସେ ଏଭଳି ଚରମ ନିଷ୍ପତ୍ତି ନେଉଥିବା କହିଛନ୍ତି। ତେବେ ମୋଟ ଉପରେ କହିବାକୁ ଗଲେ ରାଜ୍ୟରେ ଲଗାତାର ଭାବରେ ଏପରି ଘଟଣା ବଢିବାରେ ଲାଗିଛି। କିଏ ନ୍ୟାୟ ନପାଇ ବିଧାନସଭା ଆଗରେ ଆତ୍ମହୁତି କରୁଛି ତ ଆଉ କିଏ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କରୁଛି।

ତେବେ ପୂର୍ବରୁ ନ୍ୟାୟ ଆଶାରେ ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ଶେଷରେ ନେଇଛନ୍ତି ଚରମ ନିଷ୍ପତ୍ତି। ଟାଙ୍ଗୀ ଥାନା ପରିସରରେ ଜଣେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ।

ଘଟଣା ମୁତାବକ, ସ୍ଥାନୀୟ କୋଟସାହି ପଞ୍ଚାୟତ ବନ୍ଦାଳ ଗ୍ରାମର ଅନିଲ ମହାନ୍ତିଙ୍କ ସ୍ତ୍ରୀ ପ୍ରତିମା ବାଡ଼ିରେ କାଠ ହାଣୁଥିବା ସମୟରେ ତାଙ୍କର ଶ୍ୱଶୁର ବିଚିତ୍ର ଚନ୍ଦ୍ର, ବଡ ଶ୍ୱଶୁର ଭାରତ ଚନ୍ଦ୍ର, ଓ ଦେଢ଼ଶୁର ଅମରେନ୍ଦ୍ର ତାଙ୍କୁ ବିରୋଧ କରିଥିଲେ। ଏଠାରୁ କାଠ କାହିଁକି ହାଣୁଛୁ ବୋଲି କହି ଏକ କାଠ ଫାଳିଆରେ ମାଡ ମାରି ଲହୁଲୁହାଣ କରିବା ସହ ଜୀବନରୁ କରିଦେବାକୁ ଧମକ ଦେଇଥିଲେ।

ଏ ନେଇ ପ୍ରତିମା ଟାଙ୍ଗୀ ଥାନାରେ ଗତ ୨୮ ତାରିଖ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏଥି ପ୍ରତି କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପୁନର୍ବାର ସେମାନେ ପ୍ରତିମାକୁ ମାଡ ମାରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହା ପରେ ପୁଣି ଥରେ ପ୍ରତିମା ଥାନାର ଦ୍ୱାରସ୍ଥ ହୋଇଥିଲେ।

ହେଲେ ଥାନା କର୍ମଚାରୀ ଅଭିଯୋଗ ଶୁଣିବା ପରିବର୍ତ୍ତେ ଚାଲି ଯିବାକୁ କହିଥିଲେ । ଶେଷରେ ନ୍ୟାୟ ନ ପାଇ  ନିରାଶ ହେବା ପରେ ଚରମ ନିଷ୍ପତ୍ତି ନେଇଥିଲେ ପ୍ରତିମା। ସେ ଟାଙ୍ଗୀ ଥାନା ପରିସରରେ କିରୋସିନ ଢ଼ାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା  କର୍ମକର୍ତ୍ତାମାନେ ପ୍ରତିମାକୁ ଉଦ୍ଧାର କରିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

You might also like