ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ କମାଲ : ୧୨ ଏକର ଜମିରେ ସୁଗାର ଫ୍ରି ଧାନ ଚାଷ କରି ସଫଳ

ଆଧୁନିକ ଜ୍ଞାନକୌଶଳ ସହ ଚାଷ କରିବାକୁ ଯୁବପିଢିଙ୍କୁ ଦେଲେ ଆହ୍ୱାନ

  • ଜଗତସିଂହପୁର ଜିଲ୍ଲାରେ ସୁଗାର ଫ୍ରି ଧାନ ଚାଷ
  • ୧୨ ଏକର ଜମିରେ ଚାଷ କରିଛନ୍ତି ଅବସରପ୍ରାପ୍ତ କର୍ମଚାରୀ
  • ବାୟୁସେନାରୁ ଅବସର ନେବା ପରେ ଗାଁରେ କରୁଛନ୍ତି ଚାଷ

ଜଗତସିଂହପୁ(ଶଶାଙ୍କ ଶେଖର ପଣ୍ଡା) :  ମଧୁମେହ ରୋଗରେ ପୀଡ଼ିତ ହେଲେ ସାଧାରଣତଃ ଭାତ ଖାଇବାକୁ ମନା କରାଯାଇଥାଏ । କାରଣ ଭାତରେ କାର୍ବୋହାଇଡ୍ରେଟ ପରିମାଣ ଅଧିକ ଥିବାରୁ ଶରୀରରେ ବ୍ଲଡ ସୁଗାର ପରିମାଣ ବଢ଼ିବାର ଆଶଙ୍କା ଥାଏ । ହେଲେ ଏ ସମସ୍ୟାରୁ ମୁକ୍ତିଦେବା ଲାଗି ସୁଗାର ଫ୍ରି ଧାନ ଆସିଲାଣି । ଆମ ରାଜ୍ୟର ଜଗତସିଂହପୁର ରଘୁନାଥପୁର ବ୍ଲକ୍ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ୧୨ ଏକର ଜମିରେ କରିଛନ୍ତି ସୁଗାର ଫ୍ରି ଧାନ ଚାଷ ।

ପ୍ରାୟ ୧୨ ଏକର ଜମିରେ ଫଳିଛି ସୁନାର ଫସଲ । ତାହା ପୁଣି ସୁଗାର ଫ୍ରି ଧାନ । ଏଭଳି ସୁଗାର ଫ୍ରି ଧାନ ଚାଷ କରି ଦେଖାଇଛନ୍ତି ଜଗତସିଂହପୁର ରଘୁନାଥପୁର ବ୍ଲକ୍ ରେଢୁଆ ପଞ୍ଚାୟତ ଅରେଇକଣା ଗାଁର ଶରତ ଚନ୍ଦ୍ର ମହାପାତ୍ର । ଏବେ ତାଙ୍କର ୨୦ ଏକର ଜମିରୁ ୧୨ ଏକରରେ କରିଛନ୍ତି ସୁଗାର ଫ୍ରି ଧାନ । ଜଣେ ବନ୍ଧୁଙ୍କଠାରୁ ଏହି ସୁଗାର ଫ୍ରି ଧାନଚାଷ ସଂପର୍କରେ ସୂଚନା ପାଇବା ପରେ ତାଙ୍କ ସହାୟତାରେ ବିହନ ଆଣି ଚାଷ କରିଥିବା କହିଛନ୍ତି ଶରତ । ଏମିତିକି ଜମିକୁ ପାଣି ମଡାଇବା ପାଇଁ ୩ ଲକ୍ଷ ଟଙ୍କା ସବସିଡରେ ସୋଲାର ପମ୍ପିଂ ସିଷ୍ଟମ କରିଛନ୍ତି, ଯାହା ପାଇଁ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ନାହିଁ  । ସୁଗାର ଫ୍ରି ଧାନ କେଜି ପିଛା ଶହେ ଟଙ୍କା ଦରରେ ବିକ୍ରି ପାଇଁ ଚୁକ୍ତି ହୋଇଥିବା କହିଛନ୍ତି ଶରତ । ଚାଷ ପାଇଁ ଏକର ପିଛା ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ସେ ଚାକିରୀ କଲା ବେଳେ ବି ଚାଷ ପ୍ରତି ତାଙ୍କର ଆଗ୍ରହ ରହିଥିଲା । ଏଥିପାଇଁ ପଞ୍ଚାବ ଓ ହରିୟାଣାରେ କିପରି ନୂଆ ନୂଆ କିସମର ଚାଷ ହେଉଛି ତାହା ଦେଖାଇବାକୁ ନିଅନ୍ତି ବୋଲି କହିଛନ୍ତି ତାଙ୍କ ପତ୍ନୀ ।

ଏମିତିକି କଦଳୀ, ନଡିଆ, ଆମ୍ବ ଏବଂ ମାଛ ଚାଷ ମଧ୍ୟ କରିଛନ୍ତି । ତାଙ୍କ ଜମିରେ ଚାଷରେ ଲାଭ ନାହିଁ ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ ବୋଲି କହିଛନ୍ତି ଶରତ । ଆଧୁନିକ ଜ୍ଞାନକୌଶଳ ସହ ଚାଷ କରିବା ପାଇଁ ଆଗେଇ ଆସିବାକୁ ସେ ଯୁବପିଢିଙ୍କୁ ଆହ୍ୱାନ କରିଛନ୍ତି । ଏଭଳି ଧାନ ଚାଷ ଯୋଗୁ ମଧୁମେହ ରୋଗୀ ଉପକୃତ ହେବେ ବୋଲି ମତ ଦେଇଛନ୍ତି ଅନେକ । ସରକାର ସୁଗାର ଫ୍ରି ଧାନ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେଲେ ଅଧିକରୁ ଅଧିକ ଚାଷୀ ଏହି କିସମର ଧାନ ଚାଷ କରିବାକୁ ଆଗେଇ ଆସନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

 

You might also like