କରୋନା ଏବେ ବି ଯାଇନାହିଁ, ନିୟମ ମାନି ଚଳିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ
ରାଜ୍ୟବାସୀଙ୍କୁ ରାଜସ୍ୱମନ୍ତ୍ରୀଙ୍କ ସତର୍କବାଣୀ
- ରାଜ୍ୟବାସୀଙ୍କୁ ରାଜସ୍ୱମନ୍ତ୍ରୀଙ୍କ ସତର୍କବାଣୀ
- କରୋନା ଯାଇନାହିଁ, ସତର୍କ ରୁହନ୍ତୁ
- କୋଭିଡ ନିୟମ ମାନି ଚଳନ୍ତୁ
- ସ୍ଥିତି ଦେଖି ପଦକ୍ଷେପ ନିଆଯିବ
ଭୁବନେଶ୍ୱର: ଏ ଯାଏ କୋଭିଡ ଯାଇନଥିବାରୁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ କରାଯାଉଛି। ଏହାକୁ ଦେଖି ପଦକ୍ଷେପ ନିଆଯିବ। କିଛି କଟକଣା ଲଗାଯିବ କି ନାହିଁ, ପରିସ୍ଥିତି ଅନୁସାରେ ସ୍ଥିର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ସମସ୍ତେ କୋଭିଡ ନିୟମ ମାନି ଚଳିବା ଆବଶ୍ୟକ ବୋଲି କହିଛନ୍ତି ସୁଦାମ ମାରାଣ୍ଡି। ଗତବର୍ଷ ରାଜ୍ୟ ସରକାର ଠିକ୍ ସମୟରେ କଟକଣା ଲଗାଇବାରୁ କୋଭିଡ ପରିଚାଳନାରେ ସଫଳତା ମିଳିଥିଲା। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଆରୋଗ୍ୟ ହାର ଭଲ ରହିଲା ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।
ତେବେ ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୪,୮୮୨ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୧.୩୩ ନିୟୁତରେ ପହଞ୍ଚିଲାଣି। ଏହାସହ ଗତ ଅଢେଇ ମାସ ମଧ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଡିସେମ୍ବର ୨୦ ତାରିଖରେ ସମଗ୍ର ଦେଶରେ ୨୬,୬୨୪ ନୂତନ ସଂକ୍ରମଣ ଚିହ୍ନଟ ହୋଇଥିଲେ। କେହି କେହି କହିଲେଣି ପୁଣି ଥରେ କଡ଼ ଲେଉଟାଉଛି କରୋନା।
ସେପଟେ ଆମ ରାଜ୍ୟରେ କିଛି ଦିନର ଅନ୍ତର ପରେ ପୁଣି ଥରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ଅର୍ଥାତ୍ ସ୍ଥାନୀୟ ଅଂଚଳରୁ ମାତ୍ର ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨ ଜିଲ୍ଲାରୁ ଏ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।
ଏହାସହ କରୋନାରେ ଗତ ୨୪ ଘଂଟାରେ ରାଜ୍ୟରେ କେହି ପ୍ରାଣ ହରାଇନଥିବା ସୂଚନା ମିଳିଛି। ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ କିନ୍ତୁ ଆକ୍ରାନ୍ତଙ୍କ ଉପରେ ନଜର ରଖିଛନ୍ତି ସରକାର।
ମୋଟ୍ ଉପରେ କହିବାକୁ ଗଲେ, ରାଜ୍ୟରେ କରୋନା ଆୟତ୍ତରେ ରହିଛି। ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ଆକ୍ରାନଙ୍କ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି ମନ୍ତ୍ରୀ। ତେବେ ଏ ସମୟରେ ମନ୍ତ୍ରୀ ଦେଇଥିବା ପ୍ରତିକ୍ରିୟା ଗୁରୁତ୍ୱପୂର୍ଣ୍ଣ ମନା ଯାଉଛି।
ଏ ଯାଏ କୋଭିଡ ଯାଇନଥିବାରୁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି। ଶୁଣନ୍ତୁ ସେ କ’ଣ କହୁଛନ୍ତି। #SudamMarndi #Odisha pic.twitter.com/6CPX4F40op
— ଓଟିଭି (@otvkhabar) March 13, 2021