ଅଭାବୀ ଯୁବକଙ୍କ ସଫଳ କାହାଣୀ : ସିଙ୍ଗଡ଼ା ବିକାଳିରୁ ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ

ଝାରସୁଗୁଡ଼ା : ଇଚ୍ଛାଶକ୍ତି ଦୃଢ ଥିଲେ, ଲକ୍ଷ୍ୟ ପ୍ରତି ଆନ୍ତରିକତା ଥିଲେ କୌଣସି ପ୍ରତିବନ୍ଧକ ତୁମକୁ ପଥଚ୍ୟୁତ କରାଇ ପାରିବନି।  ଏମିତି ଏକ ଇଚ୍ଛାଶକ୍ତି ଏବଂ ଆନ୍ତରିକତା ଥିଲା ଶଶିକାନ୍ତଙ୍କ ପାଖରେ ଯେଉଁଥି ପାଇଁ ସେ ଆଜି ସିଙ୍ଗଡା ବିକାଳିରୁ ହୋଇପାରିଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ।

ଆମେ କହୁଛୁ ଝାରସୁଗୁଡ଼ାର ଶଶିକାନ୍ତ ଶର୍ମାଙ୍କ କଥା, ତାଙ୍କ ସଫଳତାର କାହାଣୀ।

ଏକ ମାରଓ୍ୱାଡ଼ି ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶଶିକାନ୍ତ। ବାପା ମହେଶ ଶର୍ମା ଜଣେ ସିଙ୍ଗଡ଼ା ବିକାଳି। ଖଣ୍ଡା ଛକ ନିକଟ ରାଧାକୃଷ୍ଣ ମନ୍ଦିର ପାଖରେ ସିଙ୍ଗଡ଼ା ବିକ୍ରି କରି ପରିବାର ଚଳାଉଥିଲେ । ପରିବାରରେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା। ତେଣୁ ବାପା ମହେଶଙ୍କ ସହ ମିଶି ଶଶିକାନ୍ତ ମଧ୍ୟ ସିଙ୍ଗଡ଼ା ବିକ୍ରି କରୁଥିଲେ। କେବଳ ଶଶିକାନ୍ତ ନୁହେଁ, ଭାଇ ମନୋଜ ଶର୍ମା ମଧ୍ୟ ସେହି ଦୋକାନରେ କାମ କରୁଥିଲେ।

ଗୋଟିଏ ପଟେ ପେଟ ପାଇଁ ଦାନା ଚିନ୍ତା ଆଉ ଅନ୍ୟପଟେ ପାଠ ପଢିବାର ମୋହ। ଏହି ସଂଘର୍ଷ ମଧ୍ୟରେ ଭାଙ୍ଗି ପଡ଼ି ନ ଥିଲେ ଶଶିକାନ୍ତ। ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଜୀବନ ପାଇଁ  ଜୀବିକାଟିଏ ଯୋଗାଡ଼ କରିପାରି ନ ଥିଲେ ସତ । କିନ୍ତୁ ସେ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ନ ଥିଲେ।

ଭଲ ଚାକିରି କରିବାର ନିଶା ତାଙ୍କୁ ସବୁ କଷ୍ଟ ସହିବାକୁ ସାହାସ ଦେଉଥିଲା । ଅଭାବ ସତ୍ତ୍ୱେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢିଲେ। ସକାଳେ ଆସି ସିଙ୍ଗଡ଼ା ବିକ୍ରି କରିବାରେ ବାପା ଏବଂ ଭାଇଙ୍କୁ ସାହାଯ୍ୟ କରୁଥିଲେ, ରାତିରେ ପାଠ ପଢ଼ୁଥିଲେ।

ପାଠପଢା କ୍ଷେତ୍ରରେ ଶଶିକାନ୍ତଙ୍କୁ ତାଙ୍କର ଜଣେ ଗୁରୁ ସାହାଯ୍ୟ କରିଛନ୍ତି। ସେ ତାଙ୍କୁ ମଝି ମଝିରେ କୋଚିଂ ଦେଉଥିଲେ। ଆଜି ତାଙ୍କ କୋଚିଂ ଦ୍ୱାରା ଶଶିକାନ୍ତ ଚାଡାର୍ଡ଼ ଆକାଉଣ୍ଟା‌ଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସଫଳ ହୋଇଛନ୍ତି। ଶଶିକାନ୍ତ ନିଜ ସଫଳତାର ଶ୍ରେୟ ତାଙ୍କ ଗୁରୁ ଏବଂ ପରିବାରକୁ ଦେଇଛନ୍ତି। 

ଶଶିକାନ୍ତଙ୍କ ସଫଳତା ପରେ ତାଙ୍କ ନିକଟକୁ ସାଙ୍ଗସାଥୀଙ୍କ ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।  ସ୍କୁଲରେ ତାଙ୍କୁ ପାଠ ପଢାଇଥିବା ଶିକ୍ଷକଙ୍କ ସହ ପରିବାର ଲୋକେ ପୁଅର ସଫଳତାରେ ଖୁସି ପ୍ରକଟ କରିଛନ୍ତି।  ଶଶିକାନ୍ତଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟକୁ ସମସ୍ତ ଶ୍ରେୟ ଦେଇଛନ୍ତି ତାଙ୍କ ପରିବାର ଲୋକେ।

 

You might also like