ମୟୂରଭଞ୍ଜରେ ବଢୁଛି ରବର ଚାଷର ଚାହିଦା, ଲାଭ ଦେଖି ଧୀରେ ଧୀରେ ଲୋକଙ୍କ ଆଗ୍ରହ ବଢ଼ୁଛି

ମୟୁରଭଞ୍ଜ କେଶ୍ୱରୀ ଗାଁରେ ରବର ପ୍ରକଳ୍ପରେ ଲାଭ କରୁଛି OFDC ସଂସ୍ଥା

ବଢିବାରେ ଲାଗିଛି ରବର ଚାଷ ପ୍ରତି ଲୋକଙ୍କ ଆଗ୍ରହ
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଉଛି ରବର ଚାଷ
କେଶ୍ୱରୀ ଗାଁରେ ରବର ପ୍ରକଳ୍ପରେ ଲାଭ କରୁଛି OFDC ସଂସ୍ଥା

କରଞ୍ଜିଆ (ଦୀପକ କୁମାର ମହାନ୍ତ) : ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ପରିବେଶ ରବର ଚାଷ ପାଇଁ ବେଶ ଉପଯୋଗୀ। ଜିଲ୍ଲାର ରରୁଆଁ ବ୍ଳକ କେଶ୍ୱରୀ ଗାଁରେ ଚଳିତ ବର୍ଷ ଭଲ ଚାଷ ହୋଇଥିବାରୁ ବେଶ ସଫଳତା ପାଇଛି OFDC ସଂସ୍ଥ। ଏହାର ଲାଭ ଦେଖି ଏବେ ବେସରକାରୀ ଭାବେ ରବର ଚାଷ କରିବାକୁ ମନ ବଳାଇଲେଣି ସ୍ଥାନୀୟ ଲୋକେ ।

ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଳକର କେଶ୍ୱରୀ ଗାଁରେ OFDC ସଂସ୍ଥା ପକ୍ଷରୁ ୧୯୯୧-୯୨ରେ ୧୪ ହେକ୍ଟର ଜମିରେ ରବର ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ସେଠାରେ ୬ ହଜାର ରବର ଗଛ ଲଗାଯାଇଥିବା ବେଳେ, ବର୍ତ୍ତମାନ ରକ୍ଷଣାବେକ୍ଷଣା ଅଭାବ ସହିତ ବନ୍ୟା ବାତ୍ୟା ଯୋଗୁଁ ବହୁ ଗଛ ନଷ୍ଟ ହୋଇଯାଇଥିଲେ ବି ଏହାର ଚାହିଦା କିନ୍ତୁ ବଳବତ୍ତର ରହିଛି। ବର୍ତ୍ତମାନ ଏଠାରେ ୫୦/୬୦ କିଲୋଗ୍ରାମର କଞ୍ଚାମାଲ ପ୍ରସ୍ତୁତ ହେଉଛି। ରବର ଗଛ ଏକ ଏଭଳି ଲାଭଦାୟକ ଗଛ ଯାହା ୨୦ ରୁ ୩୦ ବର୍ଷ ପର୍ଯ୍ୟନ୍ତ ଅନବରତ ରୋଜଗାର ଦେଇଥାଏ। ଫଳରେ ଲୋକେ ଏବେ ଧୀରେ ଧୀରେ ରବର ଚାଷ କରିବା ପାଇଁ ଆକୃଷ୍ଟ ହେଲେଣି । ପୂର୍ବରୁ ସରକାରୀ ସ୍ତରରେ କରାଯାଉଥିବା ବେଳେ ଏବେ ବେସରକାରୀ ଭାବେ ବି ରବର ଚାଷ ପାଇଁ ଲୋକେ ମନ ବଳାଇଲେଣି ।

ରବର ଏକ ଏପରି ଜିନିଷ ଯାହା ସବୁ କ୍ଷେତ୍ରରେ ବ୍ୟବହାର ପାଇଁ ଦରକାର ପଡେ । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ବହୁ ଜାଗାରେ ରବର ପ୍ରକଳ୍ପ ସରକାରୀ ବେସରକାରୀ ଭାବେ କରାଯାଉଛି। ହେଲେ ଗଛର ବୟସ ବଢ଼ିବା ସହିତ ବହୁ ଗଛ ନଷ୍ଟ ହୋଇଯାଇଥିବାରୁ ଅମଳ କମି ଯାଉଛି। ତେଣୁ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଏହି ଶିଳ୍ପରେ ଆହୁରି ଅଧିକ ଉନ୍ନତି ହୋଇପାରନ୍ତା ବୋଲି ଆଶା କରାଯାଉଛି ।

You might also like