ଚାଷୀଙ୍କ ସଫଳତାର କାହାଣୀ : ରୋଜଗାର ଯୋଗାଉଛି ବାଡ଼ି କଲରା, ଦିନକୁ ତୋଳୁଛନ୍ତି ୧୦ କିଲୋ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): କଲରା ଚାଷ ଦେଇଛି ପରିଚୟ। ବୌଦ୍ଧ ଜିଲ୍ଲାର ଜଣେ ଚାଷୀ ଜୈବିକ ପଦ୍ଧତିରେ କଲରା ଚାଷ କରି ଭଲ ଦୁଇ ପାଇସା ରୋଜଗାର କରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ଯୁବଚାଷୀ ରଶ୍ମୀ ରଞ୍ଜନ । ଏକ ଏକର ଜମିକୁ ସବୁଜ ରଙ୍ଗରେ ରଙ୍ଗୀନ କରିଛନ୍ତି ଚାଷୀ ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ କୁଇଲିସୁତା ଗ୍ରାମର ଯୁବଚାଷୀ ରଶ୍ମୀ ରଞ୍ଜନ ବାଘ। ଗୋଟିଏ ଏକର ଚାଷ ଜମିରେ ଜୈବିକ ପଦ୍ଧତିରେ ଧାଡି ପ୍ରଣାଳୀରେ କରିଛନ୍ତି କଲରା ଚାଷ । ବିନା କୀଟନାଶକ ତଥା ଔଷଧ ଛିଞ୍ଚନ ଓ ବିନା ରାସାୟନିକ ସାରରେ ବାଡ଼ିରେ ସୁନ୍ଦର ସୁନ୍ଦର ସବୁଜ ରଙ୍ଗର କଲରା ଫଳାଉଛନ୍ତି । ଏହି ଚାଷ କରି ଭଲ ଦୁଇ ପାଇସା ରୋଜଗାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କ ବଗିଚାରୁ ସପ୍ତାହରେ ୬୦ ରୁ ୭୦ କିଲୋ କଲରା ବାହାରୁ ଥିବାବେଳେ କେଜି ପ୍ରତି ୪୦ରୁ୫୦ ଟଙ୍କା ବିକ୍ରୟ କରି ସପ୍ତାହକୁ ୩ହଜାର ଟଙ୍କା  ଲାଭ କରିପାରୁଛନ୍ତି ।

ପ୍ରଥମେ ବରଗଡ଼ ଜିଲ୍ଲାର ଗୋଟିଏ ମଞ୍ଜି ଦୋକାନରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରି ବିହନ ବାବଦରେ କିଛି ଜ୍ଞାନ ଆହରଣ କରିଥିଲେ । ସବୁ ବାବଦରେ ତଥ୍ୟ ସଂଗ୍ରହ ପରେ ଗାଁକୁ ଆସି କଲରା ଚାଷ ଆରମ୍ଭ କରିଥିଲେ ।  ପ୍ରଥମେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆମ୍ବଚାଷ ପାଇଁ ସହାୟତା ମିଳଥିଲା । ପରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୋଭିଡ ସହାୟତା ରୂପକ ୧୨ ହଜାର ପାଞ୍ଚ ଶହ ଟଙ୍କା ଓ ନିଜ ହାତରୁ ୨ରୁ ୩ ହଜାର ଟଙ୍କା ମିଶାଇ  କଲରା ଚାଷ ଆରମ୍ଭ କରିଥିଲ । ଏବେ ସ୍ଥାନୀୟ ତିଳେଶ୍ୱର, ପୁରୁନାକଟକ,ଖଜିରୀପଡା,ଚାରିଛକ ଓ ବୌଦ୍ଧ ଡେଲି ମାର୍କେଟରେ କଲରା ବିକ୍ରି କରି ଭଲ ରୋଜଗାର କରୁଥିବା ଚାଷୀ କହିଛନ୍ତି । ସେହିପରି ଏବେ ସେ କରିଥିବା ଲଙ୍କା ଚାଷରୁ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିପାରୁଥିବା କହିଛନ୍ତି ।

କେବଳ କଲରା ନୁହେଁ ବଗିଚାରେ ଲଙ୍କା, ଝୁଡ଼ଙ୍ଗ, ବୈତାଳୁ, କଦଳୀ ଆମ୍ବଚାଷ କରିଛନ୍ତି । ବୌଦ୍ଧ ଉଦ୍ୟାନ କୃଷି ତରଫରୁ ଏଭଳି ସହାୟତା ପାଇଲେ ଆଗକୁ ଧାଡି ପ୍ରଣାଳୀରେ ଚାଷକରି  ଜିଲ୍ଲା ବାହାରକୁ କଲରା ରପ୍ତାନୀ କରିବାର ଲକ୍ଷ ରଖିଛନ୍ତି ବୋଲି ଚାଷୀ କହିଛନ୍ତି । ଅନ୍ୟପଟେ ସଫଳ ଚାଷୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଉଦ୍ୟାନ କୃଷି ଅଧିକାରୀ କହିଛନ୍ତି ।

You might also like