ହ୍ୱାଟ୍ସଆପ୍‌ରେ କରୋନା ସମ୍ପର୍କିତ ଏଭଳି ମେସେଜ୍‌ ଶେୟାର୍ କରୁଛନ୍ତି କି ? ସାବଧାନ !

ଭୁବନେଶ୍ୱର: କରୋନା ସମ୍ପର୍କିତ ଗୁଜବ ସୃଷ୍ଟିକାରୀଙ୍କୁ ଦେଶଦ୍ରୋହୀ କହିଲେ କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଏଥିସହିତ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ କଡ଼ା ଚେତାବନୀ ବି ଦେଲେ। ଏଭଳି ସଂକଟ ସ୍ଥିତିରେ ଗୁଜବ ସୃଷ୍ଟି କରୁଥିବା ଲୋକ ସମାଜ ଓ ରାଷ୍ଟ୍ରଦ୍ରୋହୀ ସହ ସମାନ ବୋଲି କହିଛନ୍ତି ବାଗ୍‌ଚୀ।

ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନର ବିଷୟରେ କିଛି ବ୍ୟକ୍ତି ଗୁଜବ କରିଛନ୍ତି, ଯାହାକି ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ  ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଅତ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି।

ଏଥିସହ ସେ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସହ ଅମାନବୀୟ ବ୍ୟବହାର କଲେ ସେମାନେ ରୋଗକୁ ଲୁଚାଇବେ ଓ ସୁପରସ୍ପ୍ରେଡର୍ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହେବ। ତେଣୁ କରୋନା ଆକ୍ରାନ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାରକୁ ନିନ୍ଦା, ଘୃଣା, ତିରସ୍କାର ବା କୌଣସି ପ୍ରକାର ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରିବା ଉଚିତ ନୁହେଁ, ସେମାନଙ୍କୁ ସାହାଯ୍ୟ ଓ ସମବେଦନା ଦେଖାଇବାକୁ ପଡ଼ିବ।

ଓଡ଼ିଶାରେ କରୋନା ଆକ୍ରାନ୍ତ ନେଇ ସୁବ୍ରତ ବାଗଚୀ କହିଛନ୍ତି, ଏଯାଏ ମୋଟ ୬୧୦ ସାମ୍ପଲ ପରୀକ୍ଷା ହୋଇଛି।  ୪ ପଜିଟିଭ ରିପୋର୍ଟ ଆସିଛି। ପ୍ରଥମ ୨ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୫ ଓ ତୃତୀୟଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଥିଲେ। ଚତୁର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ମୋଟ ୭ ଜଣ ଆସିଛନ୍ତି। ସଂସ୍ପର୍ଶରେ ଆସିଥିବା ୮୮ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି।

ଅନ୍ୟପଟେ ଭଦ୍ରକରେ କରୋନାକୁ ନେଇ ଗୁଜବ ସୃଷ୍ଟି ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ। ଏମାନଙ୍କ ବିରୋଧରେ ହ୍ୱାଟ୍ସ ଆପ୍‌ରେ ଗୁଜବ ପୋଷ୍ଟ କରି ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

You might also like