ମହାସଂକ୍ରମଣ ହେବା ପୂର୍ବରୁ ପ୍ରବାସୀ ଫେରିଲେ ଭଲ

ଭୁବନେଶ୍ୱର: ପ୍ରେସମିଟ୍‌ରେ ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ପ୍ରାୟ ୨୦ କୋଟି ପ୍ରବାସୀ କାମ କରୁଛନ୍ତି। ୨୦୧୧ରେ ଏହି ପ୍ରବାସୀଙ୍କ ସଂଖ୍ୟା ୧୪ କୋଟି ଥିଲା। ବର୍ତ୍ତମାନ ଏହି ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୨୦ କୋଟି। ଆମର ୧୨ ଲକ୍ଷ ୭୦ ହଜାର ଲୋକ ବାହାର ରାଜ୍ୟରେ କାମ କରୁଥିବାବେଳେ ଓଡ଼ିଶାକୁ ବାହାର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୬୦ ହଜାର ପ୍ରବାସୀ ଆସିଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଭାରତରେ ୧୦୦ଟି ପରିବାର ମଧ୍ୟରୁ ୧୬ଟି ପରିବାର ବାହାରକୁ ଯାଆନ୍ତି। ପ୍ରାୟ ୯୨ ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି। ପ୍ରତିଟି ଲୋକର ରାଜ୍ୟକୁ ଫେରିବାର ଆଇନଗତ ଅଧିକାର ରହିଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ କାହାକୁ ବାହାରେ ଅଟକ ରଖାଯାଇପାରିବ ନାହିଁ।

ଯଦି ଜୁନବେଳକୁ ମହାସଂକ୍ରମଣ ହୁଏ, ତାପୂର୍ବରୁ ଫେରିଲେ ଭଲ ବୋଲି କହିଛନ୍ତି ବାଗ୍‌ଚୀ। ପ୍ରଥମ ୩ଟି ପର୍ଯ୍ୟାୟରେ ରାଜ୍ୟବାସୀ ତ୍ୟାଗ ଓ ଧୈର୍ଯ୍ୟ ଦେଖାଇଛନ୍ତି। ୪ର୍ଥ ପର୍ଯାୟ ଲଢ଼େଇ ବ୍ୟୁହଭେଦର ପର୍ଯ୍ୟାୟ। ତେଣୁ ପ୍ରବାସୀଙ୍କୁ ୨୮ ଦିନର ତ୍ୟାଗ ସ୍ୱୀକାର କରିବାକୁ ହେବ ବୋଲି ପ୍ରେସମିଟ୍‌ରେ ବାଗ୍‌ଚୀ କହିଛନ୍ତି।

You might also like