ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ବିଦେଶ ଯିବାର ଅଛି, ସେମାନଙ୍କୁ କରୋନା ଟିକା ଦେବାକୁ ସ୍ୱତନ୍ତ୍ର ଅଭିଯାନ କରାଯାଇଛି। ଏହି ବର୍ଗର ବ୍ୟକ୍ତି କଟକ ଗୋପାଳପୁରର କଲ୍ୟାଣ ମଣ୍ଡପ ଓ ଖୋର୍ଦ୍ଧା ପିଏନ୍ କଲେଜରେ ଟିକା ନେଇପାରିବେ ବୋଲି ସୂଚନା ମିଳିଛି। ଯେହେତୁ ଏମାନେ ବିଦେଶ ଯିବେ, ତେଣୁ ସେମାନଙ୍କୁ କୋଭିସିଲ୍ଡ ଦିଆଯିବ। ଟିକା ପାଇଁ ଆଗୁଆ ସ୍ଲଟ ବୁକିଂ ଦରକାର ନାହିଁ। ଅନ୍ ସ୍ପଟ୍ ବୁକିଂ କରାଯାଇ ଏହି ବର୍ଗର ଲୋକଙ୍କୁ ଟିକା ଦିଆଯାଉଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ ବିଦେଶୀ ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସେହିପରି ବିଦେଶରେ ଚାକିରି କରିଥିବା ବ୍ୟକ୍ତି ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଯେଉଁମାନେ ବିଦେଶ ଯିବାର ଅଛି, ସେମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଟିକା ନେଇପାରିବେ।
ସିଏମ୍ସିର ଗୋପାଳପୁର କଲ୍ୟାଣ ମଣ୍ଡପରେ ଏମାନେ ଟିକା ନେଇପାରିବେ। ସେପଟେ ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଟିକା ଦେବାର ବ୍ୟବସ୍ଥା କରିଛି ବିଏମ୍ସି ଘରକୁ ଘର ବୁଲି ଏପରି ବ୍ୟକ୍ତିଙ୍କୁ ଟିକା ଦେବାର ଅଭିଯାନ ଆରମ୍ଭ କରିଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ଅଭିଯାନ ହୋଇଛି। ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିବା ଓ ଚଳପ୍ରଚଳ କରିବାକୁ ଅକ୍ଷମ ଥିବା ବ୍ୟକ୍ତିଙ୍କୁ ଏହି ବ୍ୟବସ୍ଥାରେ ଟିକା ଦିଆଯାଉଛି। ଏଥିପାଇଁ ୧୯୨୯କୁ ଫୋନ୍ କରି ପଂଜୀକରଣ କରିଥିଲେ ୫୧ ଜଣ ବୋଲି ସୂଚନା ମିଳିଛି।