ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ୧୩ କି.ମି. ଚାଲିଲେ ଛାତ୍ର

ବାରିପଦା(ମାଣିକଲାଲ୍‌ ପାଣି): ସ୍କୁଲ୍‌ ହଷ୍ଟେଲ୍‌ର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଚାଲି ଚାଲି ଗଲେ ଛାତ୍ର। ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଆ ନୋଡାଲ ହାଇସ୍କୁଲରେ ଥିବା ଆଦିବାସୀ ହଷ୍ଟେଲ୍‌ର ୧୭ଜଣ ଛାତ୍ର ପାଖାପାଖି ୧୩ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଅଭିଯୋଗ ଅନୁଯାୟୀ, ହଷ୍ଟେଲ୍‌ରେ ପିଲାଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉ ନାହିଁ। ଏପରିକି ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି।

ଅଭିଯୋଗ କଲେ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି।

ଏନେଇ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଛାତ୍ରମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି।

ଆଜି ଭୋର ୪ଟା ବେଳେ ଛାତ୍ରମାନେ ପଞ୍ଚାୟତ ସମିତିର ସଭ୍ୟାଙ୍କ ସହ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ପ୍ରଧାନଶିକ୍ଷୟିତ୍ରୀ ଓ ପଞ୍ଚାୟତ ସମିତି ସଭ୍ୟାଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା। ପ୍ରାୟ ୨ ଘଣ୍ଟା ପରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଓ ବାରିପଦା ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଏଥିସହ ଘଟଣାର ତଦନ୍ତ ହେବାନେଇ ପ୍ରତିଶ୍ରୁତି ଦେବାପରେ ଛାତ୍ରମାନେ ହଷ୍ଟେଲ୍‌କୁ ଫେରି ଯାଇଥିଲେ।

You might also like