ହାତୀ ପଲ ପାଇଁ ରାତି ୧୦ ଟା ହେଲେ କଟୁଛି ବିଜୁଳି : ପାଠ ପଢିବାରେ ନାନା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ

  • ରାତି ୧୦ ହେଲେ ତେଲକୋଇ ବ୍ଲକରେ ଅନ୍ଧାରର ରାଜୁତି
  • ହାତୀଙ୍କ ଚଳପ୍ରଚଳ ଯୋଗୁଁ ହେଉଛି ବିଦ୍ୟୁତ କାଟ
  • ପାଠ ପଢିବାରେ ନାନା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ
  • ଶୀଘ୍ର ସମସ୍ୟାର ସମାଧାନ ହେବ କହିଲା ବିଦ୍ୟୁତ ବିଭାଗ

ତେଲକୋଇ(ଚିନ୍ମୟ ସାହୁ): ରାତି ୧୦ ହେଲେ କଟୁଛି ବିଜୁଳି । ଏଭଳି ସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ । ଏହି ଅଞ୍ଚଳରେ ହାତୀଙ୍କ ଚଳ ପ୍ରଚଳ ଥିବାରୁ ବିଦ୍ୟୁତ ବିଭାଗ ନେଉଛି ଏଭଳି ପଦକ୍ଷେପ । ସେପଟେ ତେଲକୋଇ ବନାଞ୍ଚଳର ଅନେକ ସ୍ଥାନରେ ତାର ଝୁଲି ରହିଥିବା ବେଳେ ସେଗୁଡ଼ିକର ମରାମତି ହୋଇନି । ମରାମତି ସରିଲେ ବିଦ୍ୟୁତ ସରବରାହ ସ୍ୱାଭାବିକ ହେବ ବୋଲି କହିଛି ବିଦ୍ୟୁତ ବିଭାଗ । ସେପଟେ ରାତିରେ କରେଣ୍ଟ ନ ରହିବାରୁ ଛାତ୍ରଛାତ୍ରୀ ବେଶ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।

ଲଣ୍ଠନ ଆଲୁଅରେ ଚାଲିଛି ଭବିଷ୍ୟତ ଗଢିବା ଲାଗି ପ୍ରୟାସ । ତେଲକୋଇ ଅଞ୍ଚଳର ଆଦର୍ଶ ବିଦ୍ୟାଳୟର ଛାତ୍ର ଓମପ୍ରକାଶ ବିଶ୍ୱାଳ ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା, ୧୦୦ ଦିନ ମଧ୍ୟରେ କୋର୍ସ ସରିନି । ତଥାପି ସମୟ ନଷ୍ଟ ନକରି କୋର୍ସ ସାରିବା ଲାଗି ଚେଷ୍ଟା ଚଲାଇଛନ୍ତି  । ରାତି ୧୦ ଟା ହେଲେ ତଲକୋଇ ଅଞ୍ଚଳରେ ବିଦ୍ୟୁତ କାଟ ହେଉଛି, ପୁଣି ସକାଳ ସମୟରେ ଆସୁଛି ବିଦ୍ୟୁତ । ଏହି ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ତିବାରୁ ବିଦ୍ୟୁତ ବିଭାଗ ଲାଇନ କାଟୁଥିବା କହିଛି  । ବିଦ୍ୟୁତ ବିଭ୍ରାଟ ପାଇଁ ଛାତ୍ର ଛାତ୍ରୀ ଅସୁବିଧା ଭୋଗ କରୁଛନ୍ତି । ସେପଟେ ବିଜୁଳି ସବୁ ସମୟରେ ରହିଲେ ପିଲାଙ୍କ ଲାଗି ଭଲ ବାତାବରଣ ସୃଷ୍ଟି ହେବ ବୋଲି ଶିକ୍ଷାବିତ୍ ମତ ରଖିଛନ୍ତି ।

ତେଲକୋଇ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଯେ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି ତାହା ନୁହେଁ, ସାଧାକଣ ଲୋକଙ୍କ ସହ କ୍ଷୁଦ୍ର ବ୍ୟବସାୟୀ ବି ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ପଡୋଶୀ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ହାତୀ ଚଳପ୍ରଚଳ କରୁଛନ୍ତି, ହେଲେ ସେଠାରେ କିନ୍ତୁ ବିଦ୍ୟୁତ କାଟ ହେଉନି  । ଖରା ଦିନ ଆସିଲାଣି ଯଦି ଏହି ସମୟରେ ସମସ୍ୟାର ସମାଧାନ ନହୁଏ ତେବେ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ବନ ବିଭାଗସହ କଥା ହେବା ପରେ ଯେଉଁ ସ୍ଥାନରେ ତାର ଝୁଲି ରହିଛି, ତାହାକୁ ଉଠାଗଲେ ସମସ୍ୟାର ସମାଧାନ ହେବ ବୋଲି ବିଦ୍ୟୁତ ବିଭାଗ କହିଛି ।

ରାତି ହେଲେ ତେଲକୋଇ ବ୍ଲକରେ କିଟି କିଟି ଅନ୍ଧାର, ହାତୀଙ୍କ ସୁରକ୍ଷା ପାଇଁ ହେଉଛି ବିଜୁଳି କାଟ ତେବେ ହାତୀଙ୍କ ସୁରକ୍ଷା ସହିତ ଲୋକଙ୍କ ଜୀବନ ଧାରଣ ବି ଜରୁରୀ । ଏଭଳି ସ୍ଥଳେ ବିଦ୍ୟୁ ବିଭାଗ କେତେ ଶୀଘ୍ର କାମ ସାରୁଛି ତାକୁ ଅପେକ୍ଷା ।

You might also like