ରାଉରକେଲା: ରାଜସ୍ଥାନର କୋଟାରୁ ବସ୍ ଯୋଗେ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କୁ ନେଇ ୪ଟି ବସ୍ ଆଜି ରାଉରକେଲାରେ ପହଞ୍ଚିଛି। ୪ଟି ବସ୍ରେ ୧୧୪ ଜଣ ଛାତ୍ରଛାତ୍ରୀ ଥିଲେ।
କୋଟାର ବିଭିନ୍ନ ଇନ୍ଷ୍ଟିଚ୍ୟୁଟ୍ରେ ପଢ଼ୁଥିବା ଏହି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବସ୍ ଗୁଡ଼ିକ ରାଉରକେଲାରେ ପହଞ୍ଚିଛି। ରାଉରକେଲାରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସମସ୍ତଙ୍କୁ କ୍ୱାରେଣ୍ଟିନ୍ରେ ରଖିବା ନେଇ ବ୍ୟବସ୍ଥା ହୋଇଛି।
ଆଜି ସକାଳୁ ଦୁଇଟି ବସ୍ ଓ ପରେ ଅନ୍ୟ ଦୁଇଟି ବସ୍ରେ ଛାତ୍ରଛାତ୍ରୀ ଆସି ପହଞ୍ଚିଥିଲେ। କୋଟାରେ ଲକ୍ ଡାଉନ୍ ପରେ ଛାତ୍ରଛାତ୍ରୀମାନେ ଅଟକି ରହିଥିଲେ। ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ପରେ ଏହି ଛାତ୍ରଛାତ୍ରୀଙ୍କୁ ଫେରାଇ ଅଣାଯାଇଛି।
ରାଉରକେଲା ପରେ ଏବେ ବଲାଙ୍ଗିର, କଳାହାଣ୍ଡି, ବାଲେଶ୍ୱର ଏବଂ ପୁରୀର ଛାତ୍ରଛାତ୍ରୀମାନେ ବି ନିଜେ ବ୍ୟବସ୍ଥା କରି ଓଡ଼ିଶା ଫେରୁଥିବା ଜଣାପଡ଼ିଛି।