ବିପର୍ଯ୍ୟୟ ମହାମାରୀ ମୁକାବିଲା ପାଠ ପଢ଼ିବେ ଛାତ୍ରଛାତ୍ରୀ

ନବୀନ ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ସ୍କୁଲ କଲେଜ ପିଲା ପଢ଼ିବେ ବିପର୍ଯ୍ୟୟ ମହାମାରୀ ମୁକାବିଲା ପାଠ। ଏନେଇ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପାରିତ ହୋଇଛି ସଂକଳ୍ପ । ଏହାସହ ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ଏବଂ ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ ବୋଲି ବୈଠକରେ ଅଭିଭାଷଣ ରଖି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ସରକାରର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ ଶପଥ ନେବା ପରଠୁ ପ୍ରଥମେ ବାତ୍ୟା ଫୋନି ଆସିଲା, ତାପରେ କରୋନା ମହାମାରୀ, ଏବେ ପୁଣି ସଦ୍ୟ ବିପର୍ଯ୍ୟୟ ଆଣିଥିବା ବାତ୍ୟା ୟାସ୍। ଏଥପାଇଁ ଜାରି ରହିଛି ରିଲିଫ ଓ ପୁନର୍ବାସ ଥଇଥାନ କାର୍ଯ୍ୟ। ଏହି ଅବସରରେ ଆଗାମୀ ଦିନରେ ବିପର୍ଯ୍ୟୟର ମୁକାବିଲା କିପରି କରିବାକୁ ହେବ, ସେ ସମ୍ପର୍କରେ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇ ଚଳିବା ସହ ବ୍ୟବସ୍ଥାରେ ନିରନ୍ତର ଉନ୍ନତି ଆଣିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ୱାନ ମୂଳକ ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

You might also like