• translate
Sarbeswar

ଭୁବନେଶ୍ୱର: କରୋନା ପାଇଁ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। ହେଲେ ବିକଳ୍ପ ବ୍ୟବସ୍ଥାରେ ମିଳିବ ମାର୍କ। ମାଟ୍ରିକ ଓ ପ୍ରାକ୍ଟିକାଲ୍ ପରୀକ୍ଷା ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ। ହେଲେ ଏହି ବ୍ୟବସ୍ଥାକୁ ନେଇ ଏବେଠାରୁ ପ୍ରଶ୍ନ ଉଠାଇଲେଣି ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ। ବିଶେଷ କରି ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭିତରେ ମୂଲ୍ୟାୟନ ପଦ୍ଧତିକୁ ନେଇ ଅସନ୍ତୋଷ କୁହୁଳୁଛି। ମୁଣ୍ଡ ବିନ୍ଧା ବଢିଛି। ମାଟ୍ରିକରେ ଭଲ ରେଜଲ୍ଟ କରିନଥିବା ଛାତ୍ରଛାତ୍ରୀଙ୍କକର ମାଟ୍ରିକ ଅପେକ୍ଷା ଯୁକ୍ତ ଦୁଇରେ ସେମାନେ ଅଧିକ ପରିଶ୍ରମ କରିଥିଲେ ଏବଂ ଆଶା ରଖିଥିଲେ ଭଲ ମାର୍କ ମିଳିବ ବୋଲି। କିନ୍ତୁ ମାଟ୍ରିକ ପରୀକ୍ଷା ଆଧାରରେ ମୂଲ୍ୟାୟନ ହେଉଥିବାରୁ ଫଳ ପୁଣି ଖରାପ ହେବ ବୋଲି ଆଶଙ୍କା କଲେଣି ପରୀକ୍ଷାର୍ଥୀ।

ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତାର ମାର୍କିଂ ପଲିସିରେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ସ୍ପଷ୍ଟତା ଆଣିପାରିନି। ଗତବର୍ଷ ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଫର୍ମ ଫିଲପ୍ କରିଥିବେ କିନ୍ତୁ କୌଣସି କାରଣରୁ ପରୀକ୍ଷା ଆଦୌ ଦେଇନଥିବେ ସେମାନଙ୍କ ପାଇଁ କିଭଳି ମାର୍କିଂ ନିୟମ ରହିବ? ତାହା ପରିଷଦର ପଲିସିରେ ଉଲ୍ଲେଖ ନାହିଁ ସେମାନଙ୍କ ପାଇଁ କି ବିକଳ୍ପ ଆପଣାଯିବ? ନା ବିନା ସୁଯୋଗରେ ଫେଲ୍ ହେବେ? ଅନ୍ୟପଟେ ବିଶେଷଜ୍ଞ କମିଟି ସଦସ୍ୟଙ୍କ କହିବା ହେଲା ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ସ୍ୱାଭାବିକ ପରିସ୍ଥିତି ଆସିଲେ ପରୀକ୍ଷା ଦେଇପାରିବେ କୌଣସି ଅସୁବିଧା ହେବନି।

ଏକଥା ସତ ଯେ, ବିଶେଷଜ୍ଞ କମିଟି କି ସିଏଚ୍ଏସ୍ଇ ପାଖରେ ମାଟ୍ରିକ୍ ଛଡା ଅନ୍ୟ କୌଣସି ଆଧାର ନଥିଲା ମୂଲ୍ୟାୟନ ପାଇଁ। ତେବେ ପ୍ରଶ୍ନ ଉଠୁଛି ପରିଷଦରେ ଅଭିଜ୍ଞ ସଂପନ୍ନ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ସରକାର। ଯେଉଁ ମାନଙ୍କ କର୍ତ୍ତବ୍ୟ ହେଲା ବର୍ଷକୁ ଥରେ କେବଳ ଶୃଙ୍ଖଳିତ ଭାବେ ପରୀକ୍ଷା କରାଇବା। ହେଲେ ଗତବର୍ଷର କରୋନା ସ୍ଥିତିରୁ କିଛି ଶିଖିଲାନି ପରିଷଦ। ଜାନୁଆରୀରୁ ଏପ୍ରିଲ ଯାଏ ଯେତେବେଳେ କଲେଜ ଖୋଲିଥିଲା ସେତେବେଳେ ଯଦି ଦଶମ ଭଳି ପ୍ରି-ବୋର୍ଡ କି ଇଣ୍ଟରନାଲ୍ ପରୀକ୍ଷା ହୋଇଥାନ୍ତା ତାହେଲେ ସଠିକ୍ ଆଧାରରେ ମୂଲ୍ୟାୟନ ହୋଇଥାନ୍ତା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ଯାହା ସିବିଏସ୍ଇ କରିଥିବାରୁ ସେହି ଆଧାରରେ ଫଳ ପ୍ରକାଶନ ପାଇଁ ଘୋଷଣା କରିଛି। ତେବେ ରେଜଲ୍ଟ ବାହାରିବା ପରେ ଜଣାପଡ଼ିବ କେତେ ସନ୍ତୁଷ୍ଟ ଅଛନ୍ତି ଛାତ୍ରଛାତ୍ରୀ।

ନବରଙ୍ଗପୁରରୁ ନବଘନ ବିଶୋୟୀ, ରାୟଗଡାରୁ ମନୋଜ ପାତ୍ର, କଟକରୁ ବିଶ୍ୱଜିତ ଆଚାର୍ଯ୍ୟ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ

Other Stories