ମହାବିଦ୍ୟାଳୟ ପ୍ରତି ବିପଦ ଆଣୁଛି ପଥର ବ୍ଲାଷ୍ଟିଂ ପଏଣ୍ଟ

ବିରକ୍ତ କରାଉଛି ବ୍ଲାଷ୍ଟିଂ

ଜୟପୁର: ଜୟପୁର ତହସିଲ ଜୟନ୍ତଗିରି ନିକଟରେ ଚାଲିଛି ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ। ଯେଉଁଥିପାଇଁ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ, ବୋରିଗୁମ୍ମା ଡିଗ୍ରୀ ମହାବିଦ୍ୟାଳୟ ତଥା ଆଖପାଖ ସରକାରୀ କୋଠା ଗୁଡିକରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ମହାବିଦ୍ୟାଳୟକୁ ପାଠ ପଢିବାକୁ ଆସୁଥିବା ପିଲା ଏଭଳି ଭୟଙ୍କର ଶଦ୍ଦରେ ଭୟଭୀତ ହୋଇଯାଉଛନ୍ତି। ଶୀଘ୍ର ଏହି ଖନନ ବନ୍ଦ କରାନଗଲେ ଆଗକୁ ପରିସ୍ଥିତି ଭୟଙ୍କର ହେବାକୁ ଥିବାବେଳେ ଏନେଇ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜୟପୁର ତହସିଲଦାର।

ଦିନ ଦ୍ୱିପହରରେ ବେଧଡ଼କ ଚାଲିଛି ପଥର ବ୍ଲାଷ୍ଟି। ପଥର ଖନନ ଯୋଗୁ ଶଦ୍ଦ ପ୍ରଦୂଷଣ ସହ ବଢୁଛି ପରିବେଶ ପ୍ରଦୂଷଣ। ଜୟପୁର ତହସିଲ ଅନ୍ତର୍ଗତ ଜୟନ୍ତଗିରି ନିକଟରେ ଜାତୀୟ ରାଜପଥ ୨୬ରୁ ମାତ୍ର ୨ଶହ ମିଟର ଦୂରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଆଉ ଏପଟେ ବ୍ଲାଷ୍ଟିଂର ସିଧାସଳଖ ପ୍ରଭାବ ପଡୁଛି ପାଖରେ ଥିବା ବୋରିଗୁମ୍ମା ଡିଗ୍ରୀ ମହାବିଦ୍ୟାଳୟ ତଥା ସରକାରୀ କୋଠା ଗୁଡିକ ଉପରେ। କାନ୍ଥ ଠାଏ ଠାଏ ଜାଗାରେ ଫାଟି ଯାଇ ବିପଦସଙ୍କୁଳ ଅବସ୍ଥା ସୃଷ୍ଟି କରିଛି। ପୁଣି ଭୟଙ୍କର ଶଦ୍ଦ ଯୋଗୁ ଛାତ୍ରଛାତ୍ରୀ ଭୟଭୀତ ହୋଇଯାଉଛନ୍ତି। ଏହି ସମସ୍ୟାକୁ ନେଇ ଜୟପୁର, ବୋରିଗୁମ୍ମା ତହସିଲଦାରଙ୍କ ସମେତ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଡିଗ୍ରୀ କଲେଜ ସଂପାଦକ ଓ କର୍ମଚାରୀ।

ସେପଟେ ପାଖ କଲେଜର ପରିଚାଳନା କମିଟି ସଂପାଦକ ରାମଚନ୍ଦ୍ର ପାଢୀ କହିଛନ୍ତି ଯେ, ଏଠି ଅନେକ ଦିନ ହେଲାଣି ବ୍ଲାଷ୍ଟିଂ ଚାଲିଛୁ। ପିଲାମାନେ କ୍ଲାସ ରୁମରେ ଥରି ଯାଉଛନ୍ତି। ଏମିତି ବ୍ଲାଷ୍ଟିଂ ଯୋଗୁଁ କ୍ଲାସରୁମର କିଛି ଅଂଶ କ୍ରାକ୍‌ ମଧ୍ୟ ହୋଇଗଲାଣି। ବର୍ତ୍ତମାନ ସମୟରେ ବ୍ଲାଷ୍ଟିଂ ବନ୍ଦ ହେବାରେ ଅଛି ଯଦି ବେଆଇନ ଭାବରେ ହେଉଛି ତେବେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ରାମଚନ୍ଦ୍ର କହିଛନ୍ତି।

ସେପଟେ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ଯେ, ସେମାନେ କେମିତି କଣ ଅନୁମତି ପାଇଲେ ତାହା ଜଣାନାହିଁ କିନ୍ତୁ ବ୍ଲାଷ୍ଟିଂରେ ପୂରା ଦୋହଲି ଯାଉଛି ଘର। ଶବ୍ଦ ଏତେ ମାତ୍ରାରେ ହେଉଛି ଯେ, ପିଲାମାନଙ୍କ ମାନସିକ ସ୍ତରରେ ମଧ୍ୟ ତାହାର ପ୍ରଭାବ ପଡ଼ୁଛି।

ବୋରିଗୁମ୍ମାରୁ କୋରାପୁଟ ରାସ୍ତା ତିଆରି ବେଳେ ଏକ ଘରୋଇ ଠିକା ସଂସ୍ଥା ଅସ୍ଥାୟୀ କ୍ରସର ବସାଇଥିଲେ। ତେବେ କାମ ସରିବା ପରେ ସଂପୃକ୍ତ ସଂସ୍ଥା ଠାରୁ ଆଉ ଏକ ସଂସ୍ଥା ବେଆଇନ ଭାବେ କ୍ରସର ବସାଇ ଜୟପୁର ତହସିଲ ଅଂଚଳରୁ ପଥର ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଛି। ଏନେଇ ଜୟପୁର ତହସିଲଦାର କହିଛନ୍ତି, ରାଜସ୍ୱ ନିରୀକ୍ଷକଙ୍କ ସହ ଯାଇ ଘଟଣାର ତଦନ୍ତ କରିବେ।

You might also like