ଗେଷ୍ଟ୍‌ ହାଉସ୍‌ରୁ ମିଳିଲା କଲେଜ ଛାତ୍ରଙ୍କ ମୃତଦେହ‌

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ଗେଷ୍ଟ୍‌ ହାଉସ୍‌ରୁ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ କଟକ ଉରାଳି ଅଞ୍ଚଳର ଅଭିଷେକ ନାୟକ। ଗତ ୨ ଦିନ ହେବ ସେ ଏହି ଗେଷ୍ଟ୍‌ ହାଉସ୍‌ରେ ରହୁଥିଲେ ବୋଲି ସୂଚନା ମିଳିଛି।

ବାଣିଜ୍ୟରେ ତୃତୀୟ ବର୍ଷର ଛାତ୍ର ଅଭିଷେକ ୧୨ ତାରିଖରୁ ସେ ନିଖୋଜ ଥିଲେ। ତେବେ ଗତକାଲି ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ଗେଷ୍ଟ୍‌ ହାଉସ୍‌ରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସେ ଅନ୍‌ଲାଇନ୍‌ରେ ଟ୍ରେଡିଂ କରୁଥିଲେ ବୋଲି ଜଣାପଡ଼ିଛି। ଅଭିଷେକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସପ୍ତାହେ ହେବ ସେ ଚୁପ୍‌ଚାପ୍‌ ରହୁଥିଲେ ବୋଲି ପରିବାର ଲୋକ କହିଛନ୍ତି।

ଗେଷ୍ଟ୍‌ ହାଉସ୍‌ର କବାଟ ଭାଙ୍ଗି ପୋଲିସ୍‌ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଷକ୍ରିୟାରୁ ଅଭିଷେକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

You might also like